ପୁରୀରେ ଦେଖିବାକୁ ମିଳିଲା ମୋଦୀ ମ୍ୟାଜିକ୍…

ମୋଦୀ, ମୋଦୀ ନାରାରେ କମ୍ପିଲା ବଡ଼ଦାଣ୍ଡ । ପୁରୀରେ ଦେଖିବାକୁ ମିଳିଲା ମୋଦୀ ମ୍ୟାଜିକ । ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ମେଗା ରୋଡ୍ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଜି ସକାଳୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା ପ୍ରବଳ ଲୋକ ଗହଳି ।
ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚଥିବା ପ୍ରଧାନମନ୍ତ୍ରୀ ମୋଦୀ ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ସକାଳ ୭ଟା ସୁଦ୍ଧା ସେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପୂର୍ବାହ୍ନ ୮ଟା ପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ।
ରୋଡ ସୋ’ ସମୟରେ ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ର । ମୁହଁରେ ମୋଦୀଙ୍କ ମୁଖା ତଥା ହାତରେ ମୋଦୀଙ୍କ ପ୍ଲାକାର୍ଡ ଧରି ଲୋକେ ପ୍ରଧାମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରୋଡ ସୋ’ ଚାଲିଥିବା ବେଳେ ବାଟରେ ଦେଖିବାକୁ ମିଳୁଥିଲା ଓଡ଼ିଶାର ସଂସ୍କୃତିର ଝଲକ । କେଉଁଠି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ଗୋଟି ପୁଅ ନୃତ୍ୟ ତ କେଉଁଠି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଜି ୬୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଯେଉଁଥିରେ ୩ ଏସ୍ପି ରାଙ୍କର ଅଫିସର ମୁତୟନ ହୋଇଛନ୍ତି । ଏଥିସହ ୮ ଜଣ ଆଡିସିନାଲ୍ ଏସ୍ପି, ୨୨ ଜଣ ଡିଏସ୍ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍ ଇନ୍ସପେକ୍ଟର, ୩୪ ଜଣ ହାବିଲ୍ଦାର, ୨୦୨ ଜଣ କନ୍ଷ୍ଟେବଲ, ୨୫୦ ହୋମ୍ଗାର୍ଡ ଆଦୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଥିଲା ।