କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର । ପୁଣି ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ମୋଦୀ…

ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ରୋଡ୍ ସୋ କରିବେ ମୋଦୀ । ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି । ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକରେ ଜନସଭାକୁ ସମ୍ବୋଧନ କରିବେ । କଟକ ବାଲିଯାତ୍ରା ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ ମୋଦୀ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ବାଲିଯାତ୍ରା ପଡ଼ିଆ ଓ ନିକଟସ୍ଥ ହେଲିପ୍ୟାଡକୁ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଓ ଆଣ୍ଟି ସେବୋଟେଜ ଟିମ୍ ଯାଞ୍ଚ କରୁଛନ୍ତି । କାଲି ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରାଯିବ । ସୁରକ୍ଷାରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । କଟକ ଡିସିପି ଆର ପ୍ରକାଶଙ୍କ ନେତୃତ୍ୱରେ ୩ଜଣ ଡିଏସପି, ୬ଜଣ ଅତିରିକ୍ତ ଡିସିପି, ୧୮ ଏସିପି, ୪୦ ଇନ୍ସପେକ୍ଟର ଓ ୧୫୦ ଜଣ ଅଫିସର ରହିବେ । କଟକ ବାଲିଯାତ୍ରା ପଡ଼ିଆ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ ଜୋନ୍ ହେବ । ହାଇ ରାଇଜିଂ ବିଲଣ୍ଡିରୁ ସ୍ନାଇପର ସୁଟର ରହିବେ ।
ଅପରପକ୍ଷେ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ । ଏହାସହ ଆସନ୍ତାକାଲି କୁଚିଣ୍ଡାରେ ସଭା କରିବେ ବିଜେପି ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ୨୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଛି । ସେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ ଗସ୍ତ କରିବେ ।