ନୀଳଗିରି ମାଟି ପାଇଁ ଲଢିବେ ୭ ପ୍ରାର୍ଥୀ…

ନୀଳଗିରି, ୧୬/୫ : ବାଲେଶ୍ବର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ସାତ ଜଣ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନଙ୍କ ସମ୍ମୁଖରେ ନାମାଙ୍କନପତ୍ର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଳିକ ଯାଞ୍ଚ କରିଥିଲେ । ଏହି ଅବସରରେ ସମସ୍ତ କାଗଜପତ୍ର ଠିକ ଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଇଂ ସୁକାନ୍ତ କୁମାର ନାୟକ, ବିଜେପି ପକ୍ଷରୁ ସନ୍ତୋଷ କୁମାର ଖଟୁଆ, ଜାତୀୟ କଂଗ୍ରେସ ପକ୍ଷରୁ ଅକ୍ଷୟ କୁମାର ଆଚାର୍ଯ୍ୟ, ସିପିଆଇରୁ ଆଇନଜୀବୀ ଅଜୟ କୁମାର ପଟ୍ଟନାୟକ, ସିପିଆଇ(ଏମ୍)ରୁ ଯୋଗାନନ୍ଦ ଦାଶ, ସମୃଦ୍ଧ ଓଡିଶା ପକ୍ଷରୁ ଅରୁଣ କୁମାର ବାରିକ ଏବଂ ଜାତୀୟ ଆପନା ଦଳ ପକ୍ଷରୁ ଗଙ୍ଗାଧର ନାୟକ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସମସ୍ତଙ୍କ ନାମାଙ୍କନପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଏଥର ନୀଳଗିରିରେ ସାତ ଜଣ ପ୍ରାର୍ଥୀ ରଣାଙ୍ଗନରେ ନିଜ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବ । ଆଗାମୀ ଜୁନ ଏକ ତାରିଖରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୧୬ ହଜାରରୁ ଉର୍ଦ୍ଧ୍ବ ଭୋଟର ୨୧୯ ଗୋଟି ମତଦାନ କେନ୍ଦ୍ରରେ ମତଦାନ କରିବେ ।