ଓଡିଶାରେ ଆଜି ପ୍ରଚାର କରିବେ ଶାହା, ନଡ୍ଡା ଏବଂ ରାହୁଲ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ଦଳର ପ୍ରମୁଖ ନେତାଙ୍କ ତୁହାକୁ ତୁହା ନିର୍ବାଚନୀ ପ୍ରଚାର ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ଆଜି ନିର୍ବାଚନ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଯାଇ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ । ପରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ । ସନ୍ଧ୍ୟାରେ କଟକରେ ବି ରୋଡ ସୋ’ କରିବେ ଅମିତ୍ ଶାହା । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଭୁବନେଶ୍ୱର ଆସିବେ । ସେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି । ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ବିଜେପିର କର୍ମକର୍ତା ବୈଠକରେ ଯୋଗ ଦେବେ । ସନ୍ଧ୍ୟାରେ ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ଓମ୍ ବିର୍ଲା ।

ସେହିପରି କଂଗ୍ରେସର ମନୋବଳ ବଢ଼ାଇବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି । ବଲାଙ୍ଗିରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଜୋରଦାର ପ୍ରସ୍ତୁତି କରାଯାଇଛି । ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା । ହେଲେ ସେଦିନ ରାହୁଲ ନାମାଙ୍କନ ଭରିବାକୁ ଥିବାରୁ ତାଙ୍କ ଗସ୍ତ ବାତିଲ ହୋଇଥିଲା । ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ ।

ଏହାସହ ଆସନ୍ତା ୨୦ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ପୂର୍ବରୁ ଭୁବନେଶ୍ବରରେ ବିଶାଳ ରୋଡ଼ ସୋ ସହ ଗୋଟିଏ ଦିନରେ ୩ଟି ଜନସଭା କରି ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି ।