ବାରବାଟୀ ବିକାଶର ବାର୍ତ୍ତାବାହକ ସୋଫିଆ…

ସୋଫିଆ ଫିରଦୋସ । ଏହି ନାଁ ଆଜି ଓଡିଶାରେ ଖୁବ୍ ଚର୍ଚ୍ଚିତ । ବାପା-ମାଙ୍କ ସବୁଠୁ ଗେହ୍ଲା ଏବଂ ଅଳିଅଳି ହୋଇଥାଆନ୍ତି ଝିଅ । ମୁଖ୍ୟତଃ ପୁଅମାନେ ବାପାଙ୍କ ପଥକୁ ଅନୁସରଣ କରି ଆଗେଇବା ସହ ତାଙ୍କ ବ୍ୟବସାୟକୁ ଆଗକୁ ବଢାଇବାରେ ସାହାଯ୍ୟ କରନ୍ତି । କିନ୍ତୁ ସୋଫିଆ ଜଣେ ମହିଳା ହୋଇ ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ଆଗେଇ ଚାଲିଛନ୍ତି । ବାପାଙ୍କ ବ୍ୟବସାୟର ଗଡ ସମ୍ଭାଳିବା କଥା ହେଉ ଅବା ରାଜନୈତିକ ଦୁର୍ଗକୁ ସମ୍ଭାଳିବାର କଥା । ସବୁଥିରେ ଆଗୁଆ ରହି ନିଜର କର୍ତ୍ତବ୍ୟକୁ ସୁରୁଖୁରୁରେ ସମ୍ପାଦନ କରନ୍ତି ସୋଫିଆ । ସୋଫିଆ ହେଉଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ବାପାଙ୍କ ଗଡ଼ ସମ୍ଭାଳିବାକୁ ଚଳିତ ନିର୍ବାଚନରେ ଝିଅକୁ ଦାୟିତ୍ବ ଦେଇଛି କଂଗ୍ରେସ । କଟକ ବାରବାଟୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଭାବେ ନାମାଙ୍କନ ଭରିଛନ୍ତି ସୋଫିଆ ।
ବାରବାଟୀ-କଟକ ଆସନରୁ ୨୦୧୯ରେ ମୋକିମ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ହେଲେ ଭିଜିଲାନ୍ସ ଦୁର୍ନୀତି ମାମଲାରେ ହାଇକୋର୍ଟ ଏଥର ମୋକିମଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟ ଆଶ୍ୱସ୍ତି ଦେଇନାହାନ୍ତି । ଏଣୁ କଟକ ବାରବାଟୀ ଆସନରୁ କଂଗ୍ରେସ ସୋଫିଆ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ ସୋଫିଆ ମୋକିମଙ୍କ ବିଶାଳ ବିଲଡର ସଂସ୍ଥା ମେଟ୍ରୋ ଗାର୍ଡେନ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି । ଏଥିସହ ସେ କ୍ରେଡ଼ାଇ ଭୁବନେଶରର ମଧ୍ୟ ସଭାପତି ଅଛନ୍ତି । ତେବେ ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ସୋଫିଆ ଏବେ କଟକ ବାରବାଟୀ ଆସନ ପାଇଁ ଚର୍ଚ୍ଚାରେ ଅଛନ୍ତି । ରିୟଲ ଇଷ୍ଟେଟ୍ ଜଗତରେ ଜଣେ ମହିଳା ହିସାବରେ ସୋଫିଆ ଅନେକ ସୁନାମ ଅର୍ଜନ କରିଥିବାବେଳେ ଜଣେ ପରୋପକାରୀ ଏବଂ ମିଷ୍ଟଭାଷୀ ମହିଳା ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ମୋକିମଙ୍କ ରାଜନୈତିକ ଅଭିଜ୍ଞତା ଏବଂ ସୋଫିଆଙ୍କ ଯୁବଉଦ୍ୟୋଗୀ ମନୋବଳକୁ ନେଇ ଏଥର ବାରବାଟୀରେ ପୁଣି କଂଗ୍ରେସ ବାଜିମାତ୍ କରିବ ବୋଲି ଚର୍ଚ୍ଚା ହେଉଛି ।
ନିକଟରେ ସୋଫିଆ ବିନା ଶୋଭାଯାତ୍ରାରେ ମାତ୍ର ଅଳ୍ପ କିଛି କର୍ମୀ ଓ ବାପା ମହମ୍ମଦ ମୋକିମଙ୍କୁ ସାଙ୍ଗରେ ନେଇ ବିଧିବଦ୍ଧ ଭାବରେ ନିର୍ବାଚନୀ ନାମାଙ୍କନ ଦାଖଲ କରିଥିଲେ । ଯେଉଁଠି ପ୍ରଚଣ୍ଡ ଖରାରେ ଅନ୍ୟ ନେତାମାନେ ବିରାଟ ରାଲି କରି ବିଭିନ୍ନ ପଟୁଆରରେ ଆସି ନାମାଙ୍କନ ଭରୁଥିଲେ, ସେଠାରେ ସୋଫିଆଙ୍କ ବିନା ଶୋଭାଯାତ୍ରା ନାମାଙ୍କନ ଲୋକଙ୍କ ହୃଦୟକୁ ବେଶ୍ ପ୍ରଭାବିତ୍ କରିଛି । ଜନସେବା ପାଇଁ ବିରାଟ୍ ରାଲି ନୁହେଁ ବରଂ ଏକ ସୁନ୍ଦର ହୃଦୟର ଆବଶ୍ୟକତାର ରହିଥିବାର ପ୍ରମାଣ ଦେଇଛନ୍ତି ସୋଫିଆ ।
ବାପା ମହମ୍ମଦ ମୋକିମଙ୍କ ଗତ ପାଞ୍ଚ ବର୍ଷର ବିକାଶଧାରାକୁ ବଜାୟ ରଖିବା ପାଇଁ ସୋଫିଆ ପ୍ରତିଶ୍ରୁତି ଦେବା ସହ ଘର ଘର ବୁଲି ଲୋକଙ୍କ ହୃଦୟ ଜିତୁଛନ୍ତି । ଗତ ପାଞ୍ଚ ବର୍ଷରେ ମହମ୍ମଦ ମୋକିମ୍ ଲୋକଙ୍କୁ ଦେଇଥିବା ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିସାରିଥିବାବେଳେ ଆଉ କିଛି କାର୍ଯ୍ୟଧାରା ବାକି ରହିଯାଇଛି । ତେଣୁ ଚଳିତ ନିର୍ବାଚନରେ ସୋଫିଆ ସେସବୁକୁ ପୂରଣ କରିବା ସହ ବାରବାଟୀର ବିକାଶକୁ ଆଉ ପାଦେ ଆଗେଇ ନେବାକୁ ଜନସମର୍ଥନ ଲୋଡିଛନ୍ତି । ସୋଫିଆଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ତାଙ୍କୁ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରାଇବାକୁ ସେ ଜନତାଙ୍କୁ ନିବେଦନ କରିଛନ୍ତି ।