କଂଗ୍ରେସ କ୍ଷମତାକୁ ଆସିଲେ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବ: ରାହୁଲ ଗାନ୍ଧି…

ସାଲେପୁର, ୨୯/୪ : ଓଡିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସାଲେପୁର ଓ ମାହାଙ୍ଗାରେ ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ରାହୁଲ ପହଂଚି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ଆସି କୁଳିଆ ଆରଏମ୍ସି ପଡିଆରେ ରାହୁଲ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ । ନ୍ୟାୟ ଯାତ୍ରାରେ ଯୋଗଦେଇ ଓଡ଼ିଶାରେ ଶାସନ ପରିବର୍ତ୍ତନ ପାଇଁ ସେ ଆହ୍ୱାନ ଦେଇଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବ । କୋଟିକୋଟି ଲୋକଙ୍କ ଆକାଉଣ୍ଟକୁ ଲକ୍ଷେ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଚାଷୀମାନଙ୍କ ଋଣ ଛାଡ଼ କରାଯିବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦରମା ୨ ଗୁଣା ହେବ । ମହିଳା ମାନଙ୍କୁ ଆର୍ଥôକ ସହାୟତା ଯୋଗାଇ ଦିଆଯିବାକୁ ଶ୍ରୀ ଗାନ୍ଧୀ ଘୋଷଣା କରିଥିଲେ । ପ୍ରତି ପରିବାରକୁ ୨ ଶହ ୟୁନିଟ ମାଗଣା ବିଜୁଳୀ ଯୋଗାଇବାକୁ ସେ ପ୍ରତିଶୃତି ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ପ୍ରମୁଖଙ୍କୁ ରାହୁଲ ତୀବ୍ର ସମାଲୋଚନା କରିଥିଲେ । ଏପରିକି ଓଡ଼ିଶା ସରକାରକୁ ପାଣ୍ଡିଆନ ଚଳାଉଥିବା ରାହୁଲ ସଭାରେ କହିଥିଲେ ।
ଉଭୟ ରାଜ୍ୟ ଓ କେନ୍ଦ୍ରରେ ଥିବା ଭ୍ରଷ୍ଟାଚାରୀ ବିଜେଡି ଏବଂ ବିଜେପି ସରକାରକୁ ଚଳିତ ନିର୍ବାଚନରେ ଉଚିତ ଜବାବ ଦେବାକୁ ରାହୁଲ ଆହ୍ୱାନ ଦେଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଉପକୂଳ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂପୁର ଆଦି ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ରାହୁଳଙ୍କ ସଭାରେ ଯୋଗଦେଇଥିଲେ । କଂଗ୍ରେସକୁ ଶାସନ କ୍ଷମତାକୁ ଆଣିବାକୁ ରାହୁଲ ଅନୁରୋଧ କରିଥିଲେ । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଅଜୟ କୁମାର, ସିପ୍ରା ମଲ୍ଲିକ, ଦେବେନ୍ଦ୍ର ସାହୁ, ମାନସ ଚୌଧୁରୀ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସିଦ୍ଧାର୍ଥ ସ୍ୱରୂପ ଦାସ, ସାଲେପୁର ବିଧାୟକ ପ୍ରାର୍ଥୀ ୟାକୁବ ଖାଁନ, ବିଧାୟକ ମହମଦ ମୋକିମ ପ୍ରମୁଖ ବହୁ ନେତା ଏହି ସମାବେଶରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।