କେନାଲ ପାଣି ଅଭାବରୁ ଚାଷ ନଷ୍ଟ, ଚିନ୍ତାରେ ଚାଷୀ…

ଧର୍ମଗଡ, ୨୭/୪ : କେନାଲରେ ପାଣି ଅଭାବରୁ ନଷ୍ଟ ହୋଇଗଲା ପ୍ରାୟ ୨୫ ଏକରରୁ ଉର୍ଦ୍ଧ୍ୱ ଧାନ କ୍ଷେତ । ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଅଞ୍ଚଳବାସୀ । ସୂଚନା ଅନୁସାରେ, କୁସୁମଖୁଣ୍ଟି ଅଧିନସ୍ଥ ଘୁମେରଗୁଡ଼ା ସବ ମାଇନର କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ କୋଟାନିଆ ପଡ଼ା ପର୍ଯ୍ୟନ୍ତ ରହିଛି । କିନ୍ତୁ ଉପର ମୁଣ୍ଡରେ ଥିବା କିଛି ବାହୁବଳୀ ଚାଷୀ ନିଜର ଚାଷ ଜମି ସହିତ ନିଜ ନିଜ ପୋଖରୀରେ ବେଆଇନ ଭାବରେ ପାଣି ଜମା କରୁଥିବାରୁ ତଳ ମୁଣ୍ଡରେ ଥିବା ଚାଷୀ ପାଣି ପାଇପାରୁନାହାନ୍ତି । ଯାହା ଫଳରେ ଚାଷୀର ବର୍ଷ ତମାମ କଷ୍ଟ ଏବେ ଉଜୁଡି ଯାଇଛି । ଏହି କେନାଲ ଉପରେ ନିର୍ଭର କରୁଥିବା ବହୁ ଚାଷୀ ବାରମ୍ବାର ସ୍ଥାନୀୟ କେନାଲ ଡିଭିଜନର ଯନ୍ତ୍ରୀ, ଇଞ୍ଜିନିୟରଙ୍କୁ ଫେରାଦ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦ୍ୟୁମ୍ନ ସାହୁ, ପ୍ରବୀଣ ସାହୁ, ଗୋପାଳ ସାହୁ, ସୁଶାନ୍ତ ସାହୁଙ୍କ ସମେତ ଅନେକ ଚାଷୀ । ଅପରପକ୍ଷେ କ୍ଷତିଗ୍ରସ୍ତ ଚାଷୀ ଏ ବାବଦରେ ଚାରବାହଲ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଜଣାଇବା ପରେ ନଷ୍ଟ ହୋଇଯାଇଥିବା ଚାଷ ଜମିକୁ ଯାଇ ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କ୍ଷତିପୂରଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
ରିପୋର୍ଟ : ଧର୍ମଗଡରୁ ନିକୁଞ୍ଜ ଚଲାନ