ବୈଜୟନ୍ତଙ୍କ ରୋଡ଼ସୋ ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଆକ୍ରମଣରେ ତିନି ଆହତ…

ସାଲେପୁର, ୨୫/୦୪ : ବୈଜନ୍ତ ପଣ୍ଡାଙ୍କ ରୋଡ୍ ସୋ ବେଳେ ଉନ୍ମକ୍ତ କାଣ୍ଡ । ଗାଡି ପାର୍କିଂକୁ କେନ୍ଦ୍ର କରି ଆକ୍ରମଣ । ଭାଜାପା କର୍ମୀଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଥିବା ଅଭିଯୋଗ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ବୁଧବାର ସନ୍ଧ୍ୟାରେ ଏକ ବାଇକ ଶୋଭାଯାତ୍ରାରେ ଆସି ଜନ ସମର୍ଥନ ସାଉଁଟୁଥିଲେ । କୁରୁଜଙ୍ଗା ପଞ୍ଚାୟତରୁ ଦଳୀୟ କର୍ମୀମାନଙ୍କ ସହିତ ଉଭୟ ପ୍ରାର୍ଥୀଙ୍କୁ ଏକ ପଟୁଆରରେ ନେଉଥିବା ସମୟରେ ପୋଡାମରାଇଠାରେ ଗାଡି ପାର୍କିଙ୍ଗକୁ ନେଇ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଘଟଣାକୁ କେନ୍ଦ୍ର କରି ଉତ୍ୟକ୍ତ ଭାଜପା କର୍ମୀମାନେ ଜନୈକ ଯୁବକକୁ ନିର୍ଘାତ ମାଡମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମାହାଙ୍ଗା ମେଡିକାଲକୁ ନେଉଥିବା ବେଳେ ସାଇ ମନ୍ଦିର ନିକଟରୁ ଗୁରୁତର ଆହତ ଯୁବକକୁ ଉତ୍ତ୍ୟକ୍ତ କର୍ମୀମାନେ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ଏହି ମାଡପିଟା ଘଟଣାରେ ଆଉ ଦୁଇଜଣ ଯୁବକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ନିର୍ବାଚନ ପୂର୍ବରୁ ଭାଜପା କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ମାହାଙ୍ଗାରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ନିର୍ବାଚନରେ ଭାଜପା ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।