ଶଙ୍ଖ ଧରିପାରନ୍ତି ପ୍ରକାଶ ଏବଂ ଚିରଞ୍ଜୀବ…

ବିଜେପିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସଂଗଠନରେ ଯେଉଁମାନଙ୍କ ପ୍ରମୁଖ ଭୂମିକା ରହିଛି ସେମାନଙ୍କୁ ଅଣାଦେଖା କରାଯାଇଛି । ଦଳ ସହିତ ତାଙ୍କର ବିଚାରଗତ ସମସ୍ୟା ରହିଲା । ବୁଝାମଣା ଠିକ୍ ରହିଲା ନାହିଁ । ସେ ଯାହା ଚାହୁଁଥିଲେ କରିପାରିଲେ ନାହିଁ ବୋଲି କହିଛନ୍ତି ପ୍ରକାଶ ବେହେରା । ଏହା ସହ ଆଗାମୀ ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ।
ପ୍ରକାଶ ଚନ୍ଦ୍ର ବେହେରା ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ହାରି ଯାଇଥିଲେ । ୨୦୧୪ ମସିହାରେ ପ୍ରକାଶ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ।
ଅପରପକ୍ଷେ ବିଜେପି ଛାଡ଼ିବା ପରେ ସେ ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ବିଜେଡି ସାଲେପୁର ବିଧାନସଭା ଆସନରୁ ଟିକେଟ ମଧ୍ୟ ଦେଇପାରେ ବୋଲି କୁହାଯାଉଛି । ତେବେ ବିଜେଡି ତାର ପ୍ରଥମ ପର୍ଯ୍ୟାୟରେ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ସାଲେପୁର ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ ।
ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଶଙ୍ଖଭବନରେ ସେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ୨୦୧୪ରେ କଂଗ୍ରେସ ଟିକେଟରୁ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ ଚିରଞ୍ଜୀବ । ଏହା ପରେ ୨୦୧୯ରେ ପୁଣି ଥରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ବର୍ଷ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ଏଆଇସିସି ।