ଲୋକସଭା ନା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ମନ୍ମଥ ?

ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କେଉଁ ଆସନରୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ମନ୍ମଥଙ୍କୁ ଖୋର୍ଦ୍ଧା କିମ୍ବା ଜଟଣୀ ଆସନରୁ ବିଧାୟକ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଦଳ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ଅପରାଜିତାଙ୍କ ବିପକ୍ଷରେ ଠିଆ କରିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ତେବେ ରାଜନୈତିକ ପାଣିପାଗ ଯୁଆଡେ ଗଲେ ବି ଜଟଣୀରେ ସୁରଙ୍କ କ୍ରେଜ୍ ଆଉ ରହିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଏପଟେ ଯଦି ମନ୍ମଥ ଜଟଣୀରୁ ଲଢନ୍ତି ତେବେ ଜଟଣୀ ବିଧାନସଭା ଆସନରୁ ଆଶାୟୀ ଥିବା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟଙ୍କ ପାଇଁ ଅଡୁଆ ବଢିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରୁ କାହାକୁ ଜଟଣୀ ଟିକେଟ୍ ମିଳିବ ତାକୁ ନେଇ ଚର୍ଚ୍ଚା ବଢିଛି ।
ଅନ୍ୟପଟେ ଯଦି ମନ୍ମଥଙ୍କୁ ଜଟଣୀ ଟିକେଟ୍ ନଦିଆଯାଏ, ତେବେ ତାଙ୍କୁ ସମ୍ଭବତଃ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ୍ ଦେଇପାରେ ଶଙ୍ଖ ଦଳ । କାହିଁକି ନା, ଯେବେଠୁ ଖୋର୍ଦ୍ଧାର ବିଜେଡି ନେତା ରାଜା ସାହୁ ବେଗୁନିଆରୁ ବିଧାୟକ ହେଇଛନ୍ତି, ସେବେଠୁ ଖୋର୍ଦ୍ଧା ବିଜେଡିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଇଛି । ଆଉ ସେହି ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବାକୁ ମନ୍ମଥଙ୍କୁ ଖୋର୍ଦ୍ଧା ଟିକେଟ୍ ଦେଇପାରେ ବିଜୁ ଜନତା ଦଳ । ତେଣୁ ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ କୁହାଯାଉଛି, ମନ୍ମଥ ଆଉ ବିଭୂତି ବଳବନ୍ତରାୟଙ୍କ ମଧ୍ୟରୁ ଜଣକୁ ଖୋର୍ଦ୍ଧା ଆଉ ଅନ୍ୟ ଜଣକୁ ଜଟଣୀ ଆସନ ମିଳିପାରେ ।
କୁହାଯାଉଛି ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ଲଢାଇପାରେ ବିଜେଡି । ଏହାର ଏକ ଛୋଟିଆ ସଙ୍କେତ ମଧ୍ୟ ଖୋଦ୍ ନିଜେ ମନ୍ମଥ ରାଉତରାୟ ଦେଇଛନ୍ତି । କଥା ଛଳରେ କହୁ କହୁ ମନ୍ମଥ କହିଛନ୍ତି ଯେ, ସେ ସାଂସଦ ସସ୍ମିତ ପାତ୍ରଙ୍କୁ ବହୁତ ଅନୁସରଣ କରନ୍ତି । ଆଉ ସଂସଦରେ ସେ ଦେଇଥିବା ସ୍ପିଚକୁ ମଧ୍ୟ ଅନୁସରଣ କରନ୍ତି । ଭବିଷ୍ୟତରେ ତାଙ୍କ ଭଳି କାମ କରି ଭଲ ଭାଷଣ ଦେବାକୁ ମଧ୍ୟ ତାଙ୍କର ଇଚ୍ଛା ଅଛି ବୋଲି ମନ୍ମଥ କହିଛନ୍ତି । ତେବେ ମନ୍ମଥଙ୍କ ଏହି କଥାର ରାଜନୈତିକ ସନ୍ଧିବିଚ୍ଛେଦ କରି ରାଜନୈତିକ ଆଲୋଚକମାନେ ତାଙ୍କୁ ଲୋକସଭା ଟିକେଟ୍ ମିଳିପାରେ ବୋଲି ମଧ୍ୟ ଅନୁମାନ କରୁଛନ୍ତି । ହେଲେ ମନ୍ମଥଙ୍କୁ କେଉଁ ଆସନରୁ ଟିକେଟ୍ ମିଳୁଛି ? ଆଉ ସେ କେଉଁ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।