ପରପାରିରେ ରାଜନୀତିର ପିତାମହ ଭୀଷ୍ମ…

ପରପାରିରେ ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ । ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ । ତଥାପି ତାଙ୍କ ହାର୍ଟ ବିଟ୍ ଚାଲୁଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ହେଲେ ଆଜି ତାଙ୍କର ଦେହାନ୍ତ ହୋଇଛି ।
ଦାମଙ୍କ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ ସ୍ଥିତ ସରକାରୀ ବାସଭବନକୁ ନିଆଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତା ଦାମଙ୍କ ଶେଷ ଦର୍ଶନ କରିବେ । ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦାମୋଦର ରାଉତ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳ ଚରଣ ରାଉତ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦାମ ରାଉତ । ୧୯୮୦ ମସିହାରେ ଜନତା ଦଳ ସେକୁଲାରରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ପୁନଶ୍ଚ ଜନତା ଦଳ ଟିକେଟରେ ଏରସମାରୁ ବିଧାନସଭାକୁ ଆସିଥିଲେ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୭୯ ଅକ୍ଟୋବର ୨୫ ତାରିଖରୁ ୧୯୮୦ ଫେବୃଆରୀ ଦୁଇ ତାରିଖ ପର୍ଯ୍ୟନ୍ତ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରେ ସୋସିଆଲ ୱେଲଫେୟାର ବିଭାଗ ସହ ୧୯୯୩ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପଂଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ । ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ୱାସ୍ଥ୍ୟ, ଅବକାରୀ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାଛଡ଼ା ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ମଧ୍ୟ ଦାମୋଦର ରାଉତ ସ୍ଥାନ ପାଇଥିଲେ । ବିଜୁ ବାବୁଙ୍କ ସହିତ ଅତି ଘନିଷ୍ଠ ଥିଲେ ଦାମୋଦର । ବିଜୁଙ୍କ ପରାମର୍ଶରେ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ଏହାପରେ ୧୯୯୫ ମସିହାରେ ପରାଜିତ ହୋଇଥିବା ଦାମ ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ୫ ଥର ଏରସମା ଓ ୨ ଥର ପାରାଦ୍ୱୀପରୁ ନିର୍ବାଚିତ ହୋଇଥିଲେ ଦାମ । ବିଜୁ ଓ ନବୀନ ସରକାରରେ ୭ ରୁ ଅଧିକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳି ଥିଲେ ଦାମ । ୨୦୧୭ ମସିହାରେ ବିଜୁ ଜନତା ଦଳରୁ ବହିଷ୍କାର ହୋଇଥିବା ଦାମ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ମସିହାରେ ବାଲିକୁଦାରୁ ବିଜେପି ଟିକେଟରୁ ଲଢ଼ି ପରାଜୟ ବରଣ କରିଥିଲେ ଦାମ । ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା । ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତରାଜକୁ ସୁଦୃଢ କରିବାରେ ଦାମ ରାଉତରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଦାମ ରାଉତଙ୍କ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଦାମଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଦାମ ରାଉତଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମୋଦର ରାଉତଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସେବା ଲାଗି ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।