ପିଲା ଚୋରି ରାକେଟକୁ ଦେଖି ଗାଁରେ କୋକୁଆ ଭୟ…

ଲକ୍ଷ୍ମୀପୁର, ୧୯/୩ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକରେ କିଛି ଦିନ ଧରି ପିଲା ଚୋରି ହେଉଥିବା ଏକ ଅଡ଼ିଓ ବାର୍ତା ସୋସିଆଲ ମିଡିଆରେ ଘୁରି ବୁଲୁଥିବା । ଏ ନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇ ଥିବାବେଳେ ଶନିବାର ବିଳମ୍ବିତ ରାତ୍ରରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ କିଛି ଅସାମାଜିକ ବା ପିଲା ଚୋରି ରାକେଟ କୁହାଯାଉଥିବା ତେଲୁଗୁ ଭାଷା କହୁଥିବା ପ୍ରାୟ ଛଅ/ସାତ ଜଣ ବ୍ୟକ୍ତି ବନ୍ଧୁଗାଁ ଥାନା ଅଧିନସ୍ଥ ସନପୋଲମଣ୍ଡା ଗ୍ରାମରେ ପହଁଚିଥିଲେ । ଗାଁର କିଛି ଲୋକେ ରାତିରେ ପରିସ୍ରା କରିବା ପାଇଁ ଉଠିଥିବାବେଳେ ଉକ୍ତ ବ୍ୟକ୍ତିଙ୍କୁ ଦେଖି ହୋ ହଲ୍ଲା କରିବା ସହ ଦୁଇ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣାରେ ଅନ୍ୟମାନେ ଖସି ଯାଇଥିବା ଜଣାପଡିଛି । ତେବେ ଗାଁ ଲୋକଙ୍କ ହାତରେ ଧରାପଡିଥିବା ବ୍ୟକ୍ତିଙ୍କୁ ଉତମ ମଧ୍ୟମ ଦେବା ସହ ସେମାନଙ୍କୁ ବନ୍ଧୁଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏନେଇ ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅପରପକ୍ଷେ ଏହି ଖବର ଚାରିଆଡେ ପ୍ରଘଟ ହେବା ପରେ ଅଂଚଳରେ ଏବେ ପିଲା ଚୋରଙ୍କୁ ନେଇ କୋକୁଆ ଭୟ ଖେଳି ଯାଇଛି ।