ବରୁଣେଇ କ୍ରିକେଟ ଟୁର୍ଣ୍ଣାମେଂଟ : ବିଟିସି ପାଗାକୁ ହରାଇ ଗୁଣୁପୁର ଚମ୍ପିୟାନ

ସାଲେପୁର, ୧୯/୩ : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳବସନ୍ତ ପଂଚାୟତରେ ଆୟୋଜିତ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ଗୁଣୁପୁର ଗାନ୍ଧୀ ପଡିଆରେ ଉଦଯାପିତ ହୋଇଯାଇଛି । କୁନ୍ଦଳ, କୁସୁପୁର, ଗୁଣୁପୁର, ତିଳିଦା, ଲେଖନପୁର, ବରଅଠା, ଲାପଟୁଆଁ ଏବଂ ବିଟିସି ପାଗା ଭଳି ଗ୍ରାମାଂଚଳର ୮ ଟି ବଛା ବଛା କ୍ରିକେଟ କ୍ଲବ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ବିଟିସି ବନାମ ବରୁଣେଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ବିଟିସି କ୍ରିକେଟ ଟିମ ପାଗା ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ୮ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ବିଟିସି ୧୨୯ ରନ ସଂଗ୍ରହ କରିଥିବା ବେଳେ, ଜବାବରେ ବରୁଣେଇ କ୍ରିକେଟ ଟିମ ଗୁଣୁପୁର ୭ ଓଭର ୨ ଟି ବଲରେ ଧୂଆଁଧାର ବ୍ୟାଟିଂ କରି ୧୩୦ ରନ ସଂଗ୍ରହ କରି ବିଜୟ ହାସଲ କରିିଥିଲା ।
ବରୁଣେଇ କ୍ରିକେଟ ଟିମର ମିଲନ ମ୍ୟାନ ଅଫ ଦି’ ସିରିଜ ଘୋଷିତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ତଥା ପୂର୍ବତନ ସମିତିସଭ୍ୟ କବି ପ୍ରଶାନ୍ତ କର ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି ଯୋଗ ଦେଇଥିଲେ । ବିଜୟୀ ବରୁଣେଇ ଟିମକୁ ଚମ୍ପିୟାନ ଟ୍ରଫି ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ, ରନର୍ସ ଅଫ ବିଟିସିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଯୁବ ସଂଗଠକ ପ୍ରକାଶ ଦାସ, ସଦାଶିବ ସାହୁ, ଦିବ୍ୟଜ୍ୟୋତି ନାୟକ, ପ୍ରଫୁଲ ସାହୁ, କାଳନ୍ଦୀ ସାହୁ, ରଞ୍ଜନ ସାହୁ, ସ୍ନେହାଶିଷ ସାମଲ, ଟୁଟୁନ ସାହୁ, ଧୀରେନ୍ଦ୍ର ସାହୁ ପ୍ରମୁଖ ଖେଳ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।
ଏହି ଟୁର୍ନାମେଂଟରେ ଅମ୍ପେଆର ଭାବେ ପବିତ୍ର ନାୟକ ଏବଂ ବାଦଲ କୁମାର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ । ଗ୍ରାମାଂଚଳରେ ଆୟୋଜିତ ପଂଚାୟତ ସ୍ତରୀୟ ଏହି କ୍ରିକେଟ ମ୍ୟାଚରେ ସ୍ଥାନୀୟ ଅଂଚଳର ବହୁ କ୍ରୀଡ଼ାପ୍ରେମୀ ଦର୍ଶକ ଉପସ୍ଥିତ ରହି ମ୍ୟାଚକୁ ଉପଭୋଗ କରିଥିଲେ ।
ସାଲେପୁରରୁ ଅଭୟ ଜେନାଙ୍କ ରିପୋର୍ଟ