ବୋରିଗୁମ୍ମାକୁ ମିଳିଲା ଏନ୍ଏସି ମାନ୍ୟତା…

କୋଟପାଡ (ସୁନୀଲ ଦାଶ) : ଦୀର୍ଘ ବର୍ଷର ଦାବି ପରେ ବୋରିଗୁମ୍ମାବାସୀଙ୍କ ପାଇଁ ଆସିଛି ଖୁସିର ଖବର । ବୋରିଗୁମ୍ମାକୁ ମିଳିଛି ବିଜ୍ଞାପିତ ଅଞ୍ଚଳର ମାନ୍ୟତା । ରାଜ୍ୟ ସରକାର ରାଜ୍ୟର ୩୪ ଟି ଗ୍ରାମାଞ୍ଚଳକୁ ଏନ୍ଏସି ମାନ୍ୟତା ଘୋଷଣା କରିଛନ୍ତି । ଏହି ତାଲିକାରେ ବୋରିଗୁମ୍ମା ମଧ୍ୟ ସାମିଲ ରହିଛି । ୨0୧୬ ମସିହାଠାରୁ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମାକୁ ଏନ୍ଏସିର ମାନ୍ୟତା ଦେବାପାଇଁ ବିଧାନସଭାରେ ଲିଖିତ ଓ ମୌଖିକ ଦାବି ଉପସ୍ଥାପନା କରି ଆସୁଥିଲେ । ଗଞ୍ଜାମ ଜିଲ୍ଲାର ଶେରଗଡକୁ ରାଜ୍ୟସରକାର ଏନ୍ଏସି ମାନ୍ୟତା ଦେବା ପରେ ବୋରିଗୁମ୍ମା ସହରକୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବି ନେଇ ବୋରିଗୁମ୍ମା କଂଗ୍ରେସ ପକ୍ଷରୁ ଆସନ୍ତା ଫେବୃଆରୀ ୨୬ ରୁ ଧର୍ମଘଟ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଦୁଇ ଦିନ ପୂର୍ଵରୁ ରାଜ୍ୟସରକାର ଫେବୃଆରୀ ୨୪ ତାରିଖ ଦିନ ବୋରିଗୁମ୍ମାବାସୀଙ୍କ ପାଇଁ ଖୁସିର ବାର୍ତ୍ତା ଦେଇଛନ୍ତି l ଏହାକୁ ନେଇ ଏବେ ବୋରିଗୁମ୍ମାବାସୀ ବହୁତ ଉତ୍ସାହିତ ହେବା ସହ ପରସ୍ପରଙ୍କ ମଧ୍ୟରେ ମିଷ୍ଟନ ଖୁଆଇ ଖୁସି ଜାହିର କରିଛନ୍ତି । ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ ମଧ୍ୟ କରିଛନ୍ତି ।