ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜ୍ଜନ ଚେତାବନୀ…

ଦୂଷିତ ପାଣି ପିଉଛନ୍ତି ଗାଁ ଲୋକେ, ନାମକୁ ମାତ୍ର ରହିଛି ପାନୀୟଜଳ ପ୍ରକଳ୍ପ
ମାହାଙ୍ଗା, (ଅଭୟ ଜେନା) : ସବୁବେଳେ ବିକାଶର କଥା କହୁଥିବା ସରକାର ଲୋକଙ୍କ ମୌଳିକ ସମସ୍ୟା ପ୍ରତି କେତେ ଉଦାସୀନ ସେକଥା ନ କହିବା ଭଲ । ବିଜୁଳି ପାଣି ସଡ଼କ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନ ଥିବାବେଳେ, ସରକାର ଯୋଜନା ପରେ ଯୋଜନା ଘୋଷଣା କରି ନିର୍ବାଚନୀ ବୈତରଣୀ ପାରହେବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ନିକଟରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କୁହୁଣ୍ଡା ଗ୍ରାମ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ପଂଚାୟତ ଓ ଗାଁର ବିକାଶ କଥା ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ କହୁଥିଲେ । ହେଲେ ଏହି ସମୟରେ ପିଇବାପାଣି ସମସ୍ୟା ବାବଦରେ କୁହୁଣ୍ଡା ଗ୍ରାମର ମହିଳାମାନେ ବିଧାୟକଙ୍କୁ ସେମାନଙ୍କ ଅଭିଯୋଗ ଶୁଣାଇବାକୁ ଯିବାବେଳେ, ସେମାନଙ୍କୁ କୁଆଡେ ସଭାମଂଚ ନିକଟକୁ ଛଡା ଯାଇନଥିଲା । ଆମେ ତୁମ ଗାଁର ପାଣି କଥା ୨/୪ ଦିନ ଭିତରେ ବୁଝିବୁ ବୋଲି କହି ସେମାନଙ୍କୁ ଫେରେଇ ଦେଇଥିବା ଅଭିଯୋଗ କରିଛନ୍ତି ମହିଳାମାନେ ।
କୁହୁଣ୍ଡା ପଂଚାୟତର ୮, ୯, ୧୦, ୧୧, ୧୨ ଓ ୧୩ ନମ୍ବର ୱାର୍ଡର ଅଧିକାଂଶ ସାହି ଓ ବସ୍ତିକୁ କୁହୁଣ୍ଡା ପାନୀୟଜଳ ପ୍ରକଳ୍ପରୁ ପାଣି ପହଂଚୁ ନଥିବା ଅଭିଯୋଗ ହୋଇଆସୁଛି । ଦୀର୍ଘ ୨୦ ବର୍ଷ ତଳେ ଏହି ପାଣି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଉଦଘାଟନ ଦିନଠାରୁ ଆଜି ଭିତରେ ଅନେକ ଗାଁ’ରେ ପାଣି ପାଇପ ବିଛା ଯାଇନଥିଲା । ଅନେକ ବସ୍ତିରେ ପାଣି ଟ୍ୟାପ ନାହିଁ । ଯେଉଁ ପାଣି ଟ୍ୟାପ ଭଙ୍ଗା ଦଦରା ଅବସ୍ଥାରେ ଅଛି ସେଥିରୁ ପାଣି ବାହାରୁନାହିଁ । ସ୍ଥାନୀୟ ସରପଂଚ, ବ୍ଲକ ପ୍ରଶାସନ, ଆରଡବ୍ଲୁଏସ୍ଏସ୍ ଅଧିକାରୀ, ଜିଲ୍ଲାପାଳଙ୍କଠାରୁ ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଭିନ୍ନ ସମୟରେ କୁହୁଣ୍ଡା ପଂଚାୟତର ପିଇବା ପାଣି ସମସ୍ୟା ବାବଦରେ ଅଭିଯୋଗ ଦିଆଯାଇଛି । କିନ୍ତୁ ଫଳ ଶୂନ । ଆଜିକା ଦିନରେ ୧୨ ଓ ୧୩ ନମ୍ବର ୱାର୍ଡ ଲୋକେ କଚିରୀ ପୋଖରୀରୁ ପାଣି ନେଇ ବ୍ୟବହାର କରୁଥିବା ବେଳେ, ବିରୂପା ନଦୀକୁ ପାଣି ପାଇଁ ଯାଉଛନ୍ତି । ସେହିପରି ୮ ନମ୍ବର ୱାର୍ଡର ଲୋକେ ଏବଂ କଲ୍ୟାଣପୁର ମୁଣ୍ଡା ସାହିର ଲୋକଙ୍କୁ ଚନ୍ଦନ ପୋଖରୀରୁ ପାଣି ନେବାକୁ ପଡୁଛି ।
ବସୁଧା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକେ ନଈ ପୋଖରୀରୁ କାହିଁକି ପାଣି ନେଇ ବ୍ୟବହାର କରିବେ, ଏହାକୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି । କୁହୁଣ୍ଡା ଭଳି ଏକ ଛୋଟିଆ ପଂଚାୟତରେ ଦୀର୍ଘ କୋଡିଏ ବର୍ଷ ଧରି ପାଣି ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ନବୀନ ଓଡିଶା ଆମ ଓଡିଶା କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି । ଏହି ପଂଚାୟତର ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗର ଅଧିକାଂଶ ବସ୍ତିକୁ ପାଇପ ଯୋଗେ ପିଇବା ପାଣି ପହଂଚୁ ନାହିଁ । ଏଭଳି ସ୍ଥଳେ ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ ଏହାକୁ ନେଇ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଲୋକଙ୍କ ସମସ୍ୟା ସରକାର କେବେ ଦୂର କରୁଛନ୍ତି ।