ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବରେ ପୁରୁଣା ଦାବି ଦୋହରାଇଲେ ସାମ୍ବାଦିକ…

ମାହାଙ୍ଗା, ୧୨/୨୪ (ଅଭୟ ଜେନା) : ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ‘ଏସ ୟୁ ଜେ’ ରାଜ୍ୟ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ସାମ୍ବାଦିକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରି ସମାଜର ହିତ ଦୃଷ୍ଟିରୁ ନୀତି ନୈତିକତା ବଜାୟ ରଖି, ସାମ୍ବାଦିକତା ବୃତିକୁ ଗୌରବାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ରାଜଧାନୀ ଭୁବନେଶ୍ୱରକୁ ଆସୁଥୁବା ରାଜ୍ୟର ସାମ୍ବାଦିକ ମାନଙ୍କ ରହଣି ସକାଶେ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବା ଦାବିର ଯଥାର୍ଥତା ରହିଥିବା ସହ ଦାବି ପୂରଣ କରିବା ପାଇଁ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମନ୍ତ୍ରୀ ଓ ଅତିଥିମାନେ ପ୍ରତିଶୃତି ଦେଇଥିଲେ ।
ସାମ୍ବାଦିକ ସୁରକ୍ଷା ଆଇନକୁ କାର୍ଯ୍ୟକାରି କରିବା ସହ ସାମ୍ବାଦିକଙ୍କ ସାମାଜିକ ନିରାପତା, ଭବିଷ୍ୟତ ନିଧି ଓ କର୍ମଚାରୀ ବୀମା ଯୋଜନା ସରକାରଙ୍କ ଶ୍ରମବିଭାଗରେ ସିଡୁଲ ଅଫ ଏମ୍ପୋଲୟମେଂଟରେ ନାମକୁ ସଂଶ୍ଲିଷ୍ଟ କରି ନୋଟିଫିକେସନ ଜାରି କରାଯିବା, ୬୦ ବର୍ଷ ପୂରଣ କରିଥିବା ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା କରାଇବା ଆଦି ଦାବି ଗୁଡିକ ପୂରଣ କରିବା ସକାଶେ ଏସୟୁଜେ ସଂଘ ପକ୍ଷରୁ ରାଜ୍ୟ ସଭାପତି କୈଳାଶ ନାୟକ ଦାବି ରଖିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ସକାଶେ ସଂଘବଦ୍ଧ ପରିକର ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତି ରଂଜନ ଘଡାଇ, ବିଧାୟକ ତାରା ପ୍ରସାଦ ବାହିନୀ ପତି, ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ଏନୟୁଜେଆଇ ସଭାପତି ଅଶୋକ ମଲିକ, ଏନୟୁଜେଆଇ ମହାସଚିବ ସୁରେଶ ଶର୍ମା, ସମ୍ପାଦକ ବବୁଲ ସିଂହ ପ୍ରମୁଖ ଯୋଗଦେଇ ରାଜ୍ୟ ସଂଘର ଉଦ୍ୟମକୁ ପ୍ରଶଂସା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ସଭା ପରିଚାଳନା କରିଥିଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତିଚନ୍ଦ୍ର ସାହୁ । ଶେଷରେ ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସଂଘର ସ୍ମରଣିକା ସଙ୍କଳ୍ପ ଉନ୍ମୋଚନ କରାଯାଇଥିଲା । ସଭା ପରିଚାଳନାରେ ସହଯୋଗ କରିଥିଲେ ଏନୟୁଜେଆଇ ସଦସ୍ୟ ପ୍ରୟାଗ ରାଜ କର, ଚିନ୍ତାମଣି ପାଢି, ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ଦୁଷ୍ମନ୍ତ ପଣ୍ଡା, ସମ୍ପାଦକ ହେମାଙ୍ଗ ରାଉଳ, ସଂଗଠନ ସମ୍ପାଦକ ସନ୍ତୋଷ ସ୍ୱାଇଁ, ଯୁଗ୍ମ ସଙ୍ଗଠନ ସମ୍ପାଦକ ଟୁନା ଜେନା, ରାଧେଶ୍ୟାମ ପ୍ରଧାନ, କଟକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଶିଶିର ଦାଶ, ସମ୍ପାଦକ ଶୁଭେନ୍ଦୁ ମହାପାତ୍ର ପ୍ରମୁଖ ବହୁ ନେତୃବୃନ୍ଦ ସହଯୋଗ କରିଥିଲେ । ସଂଘର ସମସ୍ତ ସଦସ୍ୟଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ ।