ପଦ୍ମବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି

ପୁରୀ, ୧୦/୧ : ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ପଦ୍ମଫୁଲରେ ସଜ୍ଜିତ ହେବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରା । ଏଥିପାଇଁ ସୋଲରେ ପଦ୍ମପାଖୁଡା, ହଂସ, ଗଛ, କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରି କରିଛନ୍ତି ଯାହାକୁ ସିଂହାରୀ ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ବିଭୂଷିତ କରାଯିବ । ମାଘମାସ ଅମାବାସ୍ୟାଠାରୁ ବସନ୍ତ ପଂଚମୀ ମଧ୍ୟରେ ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ । ବେଶର ସମସ୍ତ ଉପକରଣ ବଡ଼ଛତା ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ ।
ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ । ମହାପ୍ରଭୁଙ୍କ ଏହି ଦିନ ବଡ଼ଛତା ମଠ ପକ୍ଷରୁ ଖିରି, ଅମାଲୁ ଭୋଗ ହୁଏ । ଏହି ବେଶର ଅନ୍ୟନାମ ପଦ୍ମମୁଖ ବେଶ । ମୁଖ୍ୟତଃ ପଦ୍ମଫୁଲରେ ଏହି ବେଶ ହେବା କଥା । କିନ୍ତୁ ସୋଲ, ଜରିରେ ପ୍ରସ୍ତୁତ ପଦ୍ମଫୁଲରେ ଏହି ବେଶ ହେଉଛି । କଥିତ ଅଛି ଯେ, ଭକ୍ତ ମନୋହର ଦାସ ଏହି ବେଶରେ ଶ୍ରୀଜଗନ୍ନାଥଙ୍କୁ ଦେଖିବାକୁ ଇଛା କରିଥିଲା । ମହାପ୍ରଭୁ ମନୋବାଂଛା ପୂରଣ ନିମନ୍ତେ ପଦ୍ମବେଶରେ ଦର୍ଶନ ଦେଇଥିଲେ । ମାଘ ମାସରେ ପଦ୍ମଫୁଲ ଦୁର୍ଲଭ, ତେବେ ବି ମହାପ୍ରଭୁ ପଦ୍ମବେଶରେ ଦର୍ଶନ ଦେଇଥିବାରୁ ସେବେଠାରୁ ମହାପ୍ରଭୁଙ୍କ ଏହି ବେଶ ହୋଇ ଆସୁଛି ।