ପରପାରିରେ ଖଲ୍ଲିକୋଟ ରାଣୀ; ୧୦ ଥର ବିଧାୟିକା ହୋଇଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ…

ବେଗୁନିଆପଡା, ୧୦/୧ (ବାପୁନି କୁମାର ମାଲୁ) : ପରପାରିରେ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଥିଲେ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି ସୁଜ୍ଞାନ କୁମାରୀ । ସେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସୁସ୍ଥତା କାମନା କରିଥିଲେ । ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।
ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରାଜ୍ୟପାଳ ।
ଭି.ସୁଜ୍ଞାନ କୁମାରୀ ଦେଓ କେବଳ ଯେ ବିଧାୟିକା ଥିଲେ ତା ନୁହେଁ, ସମାଜସେବୀ ଓ କୃଷିଜୀବି ଭାବେ ବି ଥିଲା ତାଙ୍କ ସ୍ୱତନ୍ତ୍ର ପରିଚୟ । ୧୯୩୭ ମସିହା ଅଗଷ୍ଟ ୫ରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ କୁମାରୀ । ସୁଜ୍ଞାନ କୁମାରୀଙ୍କ ବାପାଙ୍କ ନାମ ରାଜା ଆର.ଭି.ଏମ୍ ନିଳାଦ୍ରୀ ଦେଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ।
୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସୁଜ୍ଞାନ । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଉକôଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ଯ୍ୟନ୍ତ ହୋଇଥିଲେ ବିଧାୟିକା । ତୃତୀୟ ଥର ପାଇଁ ଜନତା ଟିକଟରେ ବିଜୟ ଲାଭ କରି ୧୯୭୭-୧୯୮୦ ପର୍ଯ୍ୟନ୍ତ ଖଲ୍ଲିକୋଟର ବିଧାୟିକା ହୋଇଥିଲେ ସୁଜ୍ଞାନ । ଏହାପରେ ଜନତା ପାର୍ଟିରୁ ୧୯୮୫-୧୯୯୦ ଯାଏଁ, ୧୯୯୦-୯୫ ଏବଂ ୧୯୯୫-୨୦୦୦ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୁଜ୍ଞାନ । ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସଦସ୍ୟ ରହିଆସିଥିଲେ । କିନ୍ତୁ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି । ଏହାସହ ସୁଜ୍ଞାନ କୁମାରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଖଲ୍ଲିକୋଟ ରାଣୀଙ୍କ ପରଲୋକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜନ୍ତ ପଣ୍ଡାଙ୍କ ସମେତ ବିଜେଡି ଓ କଂଗ୍ରେସର ବହୁ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିଛନ୍ତି ।