କିଏ ଶୁଣିବ ପ୍ରେମଲତାଙ୍କ ଗୁହାରୀ ? ବେସାହାରା ପ୍ରେମଲତା ଜିଲ୍ଲାପାଳଙ୍କୁ ଗୁହାରି କରି କରି ନିରାଶ…

ଢେଙ୍କାନାଳ, ୯/୧ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ସରକାରୀ ଯୋଜନାରେ ଆବାସ ଗୃହ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ପଂଚାୟତସ୍ତରରେ ଓ ବ୍ଲକସ୍ତରରେ ପିସି କାରବାର କରି କେତେକ ମୁଷ୍ଟିମେୟ ଲୋକ ଆବାସ ଗୃହ ହାତେଇ ନେଇଥିବା ଭଳି ଗୁରୁତର୍ ଅଭିଯୋଗ ଆସିଛି କଂସରା ପଂଚାୟତ ଅନ୍ତର୍ଗତ ଆମ୍ବିଠୀ ଗ୍ରାମ ହରିଜନ ସାହି ବାସୀ ହିତାଧିକାରୀଙ୍କ ଠାରୁ । ଗ୍ରାମର ବିଧବା, ନିରାଶ୍ରୟା ପ୍ରେମଲତା ନାଏକ ଏନେଇ ସଂଗିନ ଅଭିଯୋଗ କରିଛନ୍ତି । ଏଥିସହ ସାହିର ସୁମତି ନାଏକ, ବନିତା ନାଏକ, ସନ୍ଧ୍ୟାରାଣୀ ନାଏକ, ବାଜେନି ବେୱା, ମିତାଲି ନାଏକ ପ୍ରମୁଖ ଗରିବ ମହିଳା ହିତାଧିକାରୀ ମାନେ ବର୍ଷ ବର୍ଷ ଧରି ହାତୀ ଉପଦ୍ରୁତ ଅଂଚଳରେ ଭଙ୍ଗା ଦଦରା ଚାଳ ଘରେ କର୍ମ ଆଦରି ପଡ଼ି ରହିଥିଲେ ହେଁ ଏ ଯାଏଁ ସେମାନଙ୍କ ଉପରେ ସରକାରୀ ବାବୁ ମାନଙ୍କ ଦୃଷ୍ଟି ପଡ଼ି ନ ଥିବା ନେଇ ଅଭିଯୋଗ କରିଛନ୍ତି ।
ଏହି ପରିବାରର ମହିଳାମାନେ ଛେଳି ଚରାଇ ଜଙ୍ଗଲରୁ କାଠ ଗୋଟାଇ, ଏହାକୁ ବିକ୍ରି କରି ବହୁ ଦୁଃଖ କଷ୍ଟରେ ଦିନ କାଟିଥାଆନ୍ତି । ଏ ନେଇ ବିଧବା ପ୍ରେମଲତା ସ୍ଥାନୀୟ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ତହସିଲଦାର, ହିନ୍ଦୋଳ ଉପଜିଲ୍ଲାପାଳ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବିଭିନ୍ନ ସମୟରେ ଅଭିଯୋଗ ଶୁଣାଣି ଶିବିରରେ ଘର୍ ଖଣ୍ଡିଏ ପାଇଁ ଗୁହାରି କରି କରି ନିରାଶ ହୋଇ ପଡ଼ିଛନ୍ତି । ଗତ କିଛି ମାସ ଧରି ଗ୍ରାମ୍ୟ କୋଠ ଘରେ ନିଜ ଦୁଇ ପୁଅଙ୍କୁ ନେଇ ବାସ କରୁଥିଲେ ପ୍ରେମଲତା । ତେବେ ଗ୍ରାମବାସୀ ମନା କରିବାରୁ ବାଧ୍ୟ ହୋଇ ତିନୋଟି ଜୀବନକୁ ଜୀବନ ମରଣ ସହ ବାଜି ଲଗାଇ ଏବେ ଦୀର୍ଘଦିନ ହେବ ନିଜର ଭଙ୍ଗା କୁଡିଆରେ ଦିନ କାଟୁଛନ୍ତି ସେମାନେ । ଅନ୍ୟ ହିତାଧିକାରୀ ମାନଙ୍କ ଅବସ୍ଥା ମଧ୍ୟ ଅନୁରୂପ । ସମସ୍ୟା ଓ ଏହାର ସମାଧାନ କରି ପ୍ରକୃତ ହିତାଧିକାରୀମାନଙ୍କୁୁ ଆବାସ ଗୃହ କର୍ଯ୍ୟାଦେଶ ବଂଟନ ପାଇଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରେମଲତା ନାଏକ ଯୋଗ୍ୟ ହିତାଧିକାରୀ ବୋଲି ସ୍ପଷ୍ଟ କରିବା ସହ ତାଙ୍କ ନାମ ବ୍ଲକକୁ ସୁପାରିଶ କରି ଦିଆଯାଇଥିବା ପ୍ରକାଶ କରିଥିଲେ ମଧ୍ୟ ବ୍ଲକ ସ୍ତରରେ ହାକିମ ହୁକୁମାଙ୍କ ଟାଳଟୁଳ ମନୋଭାବ କାରଣରୁ କୌଣସି ଫାଇଲ ତଳେ ଏହି କାଗଜ ଚାପି ହୋଇ ରହିଯାଇଥିବା ଜଣାପଡିଛି ।
ଏପରିକି ପ୍ରେମଲତା ଅଭିଯୋଗ କରିଛନ୍ତି ଯେ, ସରପଂଚ କୁଆଡେ ତାଙ୍କୁ ଆବାସ କାର୍ଯ୍ୟାଦେଶ ପାଇଁ ୧୦ହାଜର ଟଙ୍କା ମାଗିଛନ୍ତି । ଅପରପକ୍ଷେ ଏ ନେଇ ଆମ ପ୍ରତିନିଧି ସରପଂଚଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ଏଡାଇ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରେମଲତା ଯୋଗ୍ୟ ହିତାଧିକାରୀ ତାଳିକାରେ ଅନ୍ତର୍ଭୁକ୍ତ ହେବା ପରେ ତାଙ୍କୁ ଆବାସ ମିଳିବାକୁ ଆଉ କେତେ ଦିନ ସମୟ ଲାଗୁଛି ।