ବିରୋଧୀଙ୍କୁ ହଜମ୍ ହେଉନି ସୀମାରାଣୀଙ୍କ ଜନ ସମର୍ଥନ…

ଢେଙ୍କାନାଳ, ୨୫/୧ (ସୁଜିତ୍ କୁମାର ବେହେରା) : ଜଣେ ସଫଳ ଜନନାୟକ ହେଲେ ନିନ୍ଦା, ଅପବାଦର ସମ୍ମୁଖୀନ କରିବାକୁ ପଡେ । ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏନେଇ ଗାଁ ଗାଁରେ ଚାଲିଲାଣି ଜୋରଦାର ପ୍ରଚାର ପ୍ରସାର । ଦଳୀୟ ହାଇକମାଣ୍ଡଙ୍କ ପାଖରେ ନିଜର ପତିଆରା ପ୍ରଦର୍ଶନ କରିବା ପାଇଁ ଅଭିନବ ପ୍ରୟାସରେ କସରତ କରୁଛନ୍ତି ଆଶାୟୀ ପ୍ରାର୍ଥୀ । ଏଥିରୁ ବାଦ୍ ପଡିନି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ମଧ୍ୟରେ ଗୋଡଟଣା ନୀତି ମଧ୍ୟ ସେତିକି ଜୋରଦାର ହେଉଛି । ଓଡ଼ାପଡ଼ା ବ୍ଲକ୍, ହିନ୍ଦୋଳ ବ୍ଲକ୍ ଏବଂ ହିନ୍ଦୋଳ ଏନ୍ଏସିକୁ ନେଇ ହିନ୍ଦୋଳ ବିଧାନସଭା କ୍ଷେତ୍ରଟି ଗଠିତ ହୋଇଥିବାବେଳେ ୨୦୦୦ ମସିହାଠାରୁ ବର୍ତମାନ ପର୍ଯ୍ୟନ୍ତ ହିନ୍ଦୋଳ ବିଧାନସଭା କ୍ଷେତ୍ରଟି ଶାସକ ବିଜୁ ଜନତା ଦଳର ହାତରେ ରହିଆସିଛି । ଚଳିତ ପଂଚାୟତ ନିର୍ବାଚନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ୭ଟି ଜିଲ୍ଲା ପରିଷଦ ଜୋନରୁ ୭ଟି ଜୋନର ଜିଲ୍ଲାପରିଷଦକୁ ବିଜେଡି ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇଥିଲା । ସେହିପରି ହିନ୍ଦୋଳ ଏନ୍.ଏ.ସି ନିର୍ବାଚନରେ ୧୬ଟି କାଉନସିଲର ମଧ୍ୟରୁ ୧୧ଟି ପରିଷଦ ସହିତ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତେଇଥିଲା । ବିଧାୟିକା ସୀମାରାଣୀଙ୍କ ଦ୍ୱାରା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବଢିବାରେ ଲାଗିଛି ବିପୁଳ ମାତ୍ରାରେ ଜନ ସମର୍ଥନ । କେବଳ ସେତିକି ନୁହେଁ ଦୁଇ ଦୁଇଥର ବିଜୁଜନତା ଦଳରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇ ଏଥର ତୃତୀୟ ଥର ହ୍ୟାଟ୍ରିକ ଆଶାରେ ବିଧାୟିକା ସୀମାରାଣୀ ।

କିନ୍ତୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର କିଛି ଦଳ ବିରୋଧୀ ନେତା ନିଜର ସ୍ୱାର୍ଥ ଏବଂ କିଛି ଅନ୍ୟ ଦଳର ଆମଦାନୀ ନେତାଙ୍କ ପ୍ରରୋଚନାରେ ବିଧାୟିକାଙ୍କୁ ବିରୋଧ ପ୍ରଦର୍ଶନ କରିବାରେ ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ଏହାର ପ୍ରତିବାଦରେ ବିଧାୟିକା କହିଛନ୍ତି ଯେ, ସେ ସଦସର୍ବଦା ଲୋକଙ୍କ ସାଥିରେ ରହିଛନ୍ତି । ଲୋକଙ୍କ ଭଲ ପାଇବା ନେଇ ଲୋକଙ୍କ ସ୍ୱାର୍ଥରେ କାମ କରି ଆଗେଇ ଚାଲିଛନ୍ତି । ଏବଂ ଯଦି ତାଙ୍କୁ ଦଳ ପୁଣି ସୁଯୋଗ ଦିଏ ତେବେ ସେ ଏହିଭଳି ଜନସେବା କରି ଆଗେଇ ଚାଲିବେ । ଏହାସହ ସେ କହିଛନ୍ତି ଯେ, ସବୁଦଳରେ ଦଳୀୟ ଅସନ୍ତୋଷ ଥାଏ । ତେଣୁ ଏହା କୌଣସି ଗମ୍ଭୀର କଥା ନୁହେଁ । ହିନ୍ଦୋଳ ଜନସାଧାରଣ ତାଙ୍କୁ ନିଜର ପ୍ରତିନିଧି କରିଛନ୍ତି ତେଣୁ ସେ କେବଳ ଜନସେବାରେ ହିଁ ମନନିବେଶ କରିବେ । ଅପରପକ୍ଷେ ଦଳୀୟ କନ୍ଦଳ ସତ୍ୱେ ବିଜୁ ଜନତା ଦଳର ଗଡ କୁହାଯାଉଥିବା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆଗମୀ ଦିନରେ ବିଧାୟିକା ସୀମାରାଣୀ ନାଏକଙ୍କୁ ତୃତୀୟ ଥର ପାଇଁ ବିଧାୟିକା ଭାବରେ ଦେଖିବାକୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମଧ୍ୟରେ ଚର୍ଚ୍ଚା ଜୋର ଧରିିଥିବା ଦେଖା ଦେଇଛି ।