ରେସନ କାର୍ଡରେ ଚାଲିଛି କଟନୀ ଛଟନୀ, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ…

ଢେଙ୍କାନାଳ, ୧୦/୧ (ସୁଜିତ୍ କୁମାର ବେହରା) : ଯୋଗାଣ ବିଭାଗର ରେସନ ଦୁର୍ନୀତି ନେଇ ଆସିଲା ଅଭିଯୋଗ । ଯୋଗାଣ ବିଭାଗର ଡିଲରଙ୍କ କଟନୀ ଛଟନୀ ଏବଂ ମନମୁଖି କାର୍ଯ୍ୟ ଓ ଦୁର୍ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଖାଉଟି । ପ୍ରତି ୫କେଜି ପିଛା କଟାଯାଉଛି ୨୦୦ ଗ୍ରାମ ଚାଉଳ । ଖାଉଟି ଅଭିଯୋଗ କଲେ ସରକାରୀ ନିୟମ କହି ଜନସାଧରଣଙ୍କୁ ଭୁଆଁ ବୁଲାଉଛି ସ୍ଥାନୀୟ ଡିଲର ମହାଶୟ । ପ୍ରତିଟି ଗରିବ ପରିବାରକୁ କ୍ଷୁଧା ନିବାରଣ ନିମନ୍ତେ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ୫କେଜି ଚାଉଳ ଯୋଗାଇ ଦେବା ପାଇଁ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ କିଛି ବିଭାଗୀୟ ଅଧିକାରୀ ଓ ଡିଲରଙ୍କ ଅର୍ଥ ମନୋବୃତି ପାଇଁ ସଠିକ ରୂପେ ଖାଦ୍ୟ ସୁରକ୍ଷା ଆଇନରୁ ପାଉଥିବା ଚାଉଳରୁ ବଂଚିତ ହେଉଛନ୍ତି ଗରିବ ହିତାଧିକାରୀ । ଏଭଳି କିଛି ସାଙ୍ଘାତିକ ଅଭିଯୋଗ ନେଇ ଆସିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍.ଏ. ସି ଅନ୍ତର୍ଗତ ୧୫ନମ୍ବର ୱାର୍ଡ ଆଳୁସିଙ୍ଗ ଗ୍ରାମର ଜନସାଧରଣ । ଏହି ଗ୍ରାମର ଖାଉଟି ଡିଲର ରମେଶ ସାହୁ ହିତାଧିକାରୀଙ୍କୁ ଦେଉଥିବା ମାଗଣା ରାସନ ଚାଉଳରୁ ପ୍ରତି ୫କେଜି ଚାଉଳରୁ ୨୦୦ ଗ୍ରାମ ଚାଉଳ କାଟୁଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ହିତାଧିକାରୀ । ସେପଟେ ଡିଲରଙ୍କ ଅଶାଳୀନ ବ୍ୟବହାରରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାର ଅଭିଯୋଗ ନେଇ ହିନେ୍ଦାଳ ଉପଜିଲ୍ଲାପାଳଙ୍କ ପାଖରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ଗ୍ରାମବାସୀ । ସେପଟେ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାସନ ସାମଗ୍ରୀରୁ ଚାଉଳ କଟାଯିବାର ସେମିତି କିଛି ନିୟମ ନାହିଁ ।
ସୂଚନା ଥାଉକି ହିନ୍ଦୋଳ ବ୍ଲକ ତଥା ଏନ୍ ଏ ସିର ପ୍ରତ୍ୟେକ ଡିଲର କଟନି ଛଟନି କରୁଥିବାର ପୂର୍ବରୁ ଅନେକ ଥର ଅଭିଯୋଗ ଆସିଛି । କିଛି ଲୋକଙ୍କ କହିବା ମୁତାବକ ଡିଲର୍ କହୁଛନ୍ତି ଯେ ହିନ୍ଦୋଳ ସାରା ଡିଲର ତ କାଟୁଛନ୍ତି ଆମେ କାହିଁକି କାଟିବୁ ନାହି । ତେବେ ରେସନ୍ କାର୍ଡରେ କେଉଁଦିନ ଏହି କଟନୀ ଛଟନୀ ସମସ୍ୟାରୁ ଗରିବ ହିତାଧିକାରୀ ନିସ୍ତାର ପାଇବେ ତାହା ଦେଖିବାକୁ ବାକି ରହିଲା ।