କାଲିଠୁ ଜମିବ ଶିଶିର ସରସ- ୨୦୨୪

ଭୁବନେଶ୍ୱର, ୫/୧ (ଅଭିଜିତ୍ ସିଂ) : ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଶିଶିର ସରସ- ୨୦୨୪ । ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟା ୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମାସ ଦ୍ବାରା ଆୟୋଜିତ ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି କହିଛନ୍ତି, ୪୦୦ଟି ଷ୍ଟଲ ଜରିଆରେ ଓଡ଼ିଶା ସମେତ ୨୬ଟି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ କାରିଗରମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ହେବ ।

ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଜୀବିକା ଓ ଦକ୍ଷତା ବିକାଶ ଆଦିକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ କରାଯାଉଛି । ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ ହୋଇଛି । ଏହାସହ ମେଳାରେ ଓପନ କୁଇଜ, ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।