ମଣ୍ଡି ନ ଖୋଲିବା ଚାଷୀଙ୍କୁ ହେଉଛି କାଳ…

ଗଜପତି, ୨୬/୧୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲାରେ ବର୍ତ୍ତମାନ ଖରିଫ ଋତୁର ଧାନ ଉତ୍ପାଦନ ହୋଇସାରିଛି । କିଛିଦିନ ତଳେ ଲଘୁଚାପ ଜନିତ ବର୍ଷାରେ ଚାଷୀ ଧାନ କାଟି ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ହେଲେ ଏବେ ଧାନ ଅମଳ ହେଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନଥିବାରୁ ବାଧ୍ୟ ହୋଇ ଚାଷୀ ଆନ୍ଧ୍ରକୁ ଧାନ ବିକ୍ରି କରୁଛନ୍ତି । ସ୍ଥାନୀୟ ଚାଷୀଙ୍କ ଅମଳ ଧାନକୁ ସ୍ଥାନୀୟ ବେପାରୀ ଏବଂ ଆନ୍ଧ୍ର ବେପାରୀ ମିଲିଭଗତରେ ଶାଗ ମାଛ ଦରରେ କିଣି ମାଲେ ମାଲ ହେଉଥିବା ବେଳେ ବଳି ପଡୁଛି ଚାଷୀଙ୍କ ଝାଳବୁହା ଧନ ।
ଆନ୍ଧ୍ରରେ ବର୍ତ୍ତମାନ କଟକଣା ନ ଥିବାରୁ ଓଡ଼ିଶା ଧାନ ଆନ୍ଧ୍ରକୁ ବିକ୍ରି ବଟା ହେଉଛି । ଗଜପତି ଜିଲ୍ଲାର ଅନେକ ସ୍ଥାନ ଆନ୍ଧ୍ର ନିକଟବର୍ତ୍ତୀ ହୋଇଥିବରୁ ଏହିଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ଗତ ବର୍ଷ ପଞ୍ଜିକୃତ ଚାଷୀଙ୍କ ଧାନ ଟୋକାନ ଅବଧି ଥାଇ ମଧ୍ୟ ବିକ୍ରି ବଟା କରିବାରେ ଅସୁବିଧା ହୋଇଥିଲା । ଏପରିକି ଚାଷୀଙ୍କ ଧାନ ଖରାପ ଏବଂ ରଙ୍ଗ ବେରଙ୍ଗୀ ଧାନ କହି କଟଣୀ ଛଟନୀ କରି ଚାଷୀଙ୍କ ଧାନ ୪ କିଲୋରୁ ୫ କିଲୋ ପର୍ଯ୍ୟନ୍ତ ମିଲ୍ ମାଲିକ କାଟିବା ସହ ଅଖା ସୂତିଲି, ପରିବହନ ଖର୍ଚ୍ଚ ଦେଉ ନଥିବାରୁ ଚାଷୀଙ୍କୁ ବହୁ ହନ୍ତସନ୍ତ ହେବାକୁ ପଡିଥିଲା । ଚଳିତ ବର୍ଷ ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବେ ବୋଲି ଆଶା ବାନ୍ଧିଥିଲେ ଚାଷୀ । ମାତ୍ର ପୂର୍ବ ବର୍ଷର କଟଣୀ ଛଟନୀ ଭୟରେ ବାଧ୍ୟ ହୋଇ ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରିଛନ୍ତି ଚାଷୀ ।