ବାଉଁଶପୋଖରୀ ପଂଚାୟତରେ ଜମୁଛି ମଦର ଆସର..

ଢେଙ୍କାନାଳ, ୪/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାକୁ ନେଇ ବିଶେଷ ଭାବେ ଯୁବଗୋଷ୍ଠୀ କ୍ଷତିଗ୍ରସ୍ତ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ଆସର ଜମୁଥିବା ଦେଖିବାକୁ ମିଳୁଛି । ଯାହାର କୁପ୍ରଭାବ ଛୋଟ ଛୋଟ ପିଲା ଏବଂ ସର୍ବ ସାଧାରଣରେ ପଡୁଥିବାର ଅଭିଯୋଗ କରିଛନ୍ତି ଅଂଚଳବାସୀ । ଏ ନେଇ ପଂଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମବାସୀ ପଂଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଏକାଠି ହୋଇଛନ୍ତି । ନିକଟରେ ଏ ନେଇ ଗ୍ରାମ୍ୟ କମିଟି ସଭାପତି ଗିରିଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକରେ ମିଳିତ ହୋଇ ଗ୍ରାମବାସୀ ସଚେତନ ନାଗରିକ, ଶିକ୍ଷିତ ଯୁବକ ନିଶା ନିବାରଣ ପାଇଁ ପଂଚାୟତ ସରପଂଚଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଫେରାଦ ହେବେ ବୋଲି ସର୍ବ ସମ୍ମତିରେ ପ୍ରକାଶ ପାଇଥିଲା ।
ଗ୍ରାମବାସୀଙ୍କ ସୂଚନା ମୁତାବକ ବାଉଁଶପୋଖରୀ, ନୂଆକୋଟ, ଡିହସାହି, ବନ୍ଧାଭୂଇଁ, ବରଡାପାଳ, କର୍ଣ୍ଣପୁର ଓ ସୁନ୍ଦରାପାଳ ଆଦି ଗ୍ରାମମାନଙ୍କର ରାସ୍ତା ପାର୍ଶ୍ୱରେ ସର୍ବ ସାଧାରଣ ସ୍ଥାନରେ ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ଭାବରେ ଚାଲୁ ରହିଛି । ଫଳରେ ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ, ଗାଁରେ ରହୁଥବା ମହିଳା, ପାଠ ପଢି ସାରି ଘରେ ରହିଥିବା ବଡ ବଡ ଯୁବତୀମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି । ସମୟେ ସମୟେ ଗାଁ ଦାଣ୍ଡରେ ନିଶା ସେବନ କରି ଯୁବଗୋଷ୍ଠୀ ଆସଭ୍ୟ ଭାଷା ପ୍ରୟୋଗ କରୁଥିବାର ଗୁରୁତର ଅଭିଯୋଗ ହେଉଛି । ଲୋକ ଦେଖାଣିଆ ଭାବେ ସ୍ଥାନୀୟ ଅବକାରୀ ବିଭାଗ ଚଢ଼ାଉ କରି ଆସାମୀଙ୍କୁ ଖସାଇବା ପାଇଁ ମାମଲା ରୁଜୁ କରି ଜବତ୍ ମଦର ପରିମାଣକୁ କମାଇ ଦିଆ ଯାଉଥିବାରୁ ସହଜରେ ଆସାମୀ ମୁକୁଳି ଯାଉଥିବାର ଅଭିଯୋଗ ହେଉଛି । ବାଉଁଶପୋଖରୀ ପଂଚାୟତ ସମେତ ଆଖପାଖ କନ୍ତାମିଲା ଓ କଂସରା ଆଦି ପଂଚାୟତରେ ବହୁଳ ଭାବେ ବେଆଇନ ମଦ କାରବାର ବଢ଼ି ଚାଲି ଥିବାବେଳେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ସେତେଟା ଆଖିଦୃଶିଆ ହୋଇ ପାରୁ ନଥିବାରୁ ଅଂଚଳର ବୟସ୍କ, ସଚେତନ ନାଗରିକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।