ସମିତି କାମକୁ କିଏ କରିବ ? ଏ ନେଇ ଦୁଇ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଏବଂ ବିଧାୟିକାଙ୍କୁ ନେଇ ଚାଲିଛି ପାୱାର ସୋ…

ଢେଙ୍କାନାଳ, ୨/୧୨ (ସୁଜିତ୍ କୁମାର ବେହେରା) : ରାଜନୈତିକ ଗୋଷ୍ଠୀ କନ୍ଦଳ ଏବଂ କ୍ଷମତା ଲଢ଼େଇ ପାଇଁ ସମସ୍ତ ସରକାରୀ ନିୟମକାନୁନ କିପରି ମୂଲ୍ୟହୀନ ହୋଇଯାଏ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକରେ । ଗୋଟେପଟେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଓ ଆଉ ଗୋଟେ ପଟେ ଉପାଧ୍ୟକ୍ଷ ଓ ବିଧାୟିକାଙ୍କ ମଧ୍ୟରେ ଚାଲିଛି ଗୋଷ୍ଠୀ ବିବାଦ । ଏହି ଘଟଣା କିଛି ନୂଆ କଥା ନୁହେଁ । ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ । ୧୫ ତମ CFC ଅଟକଳ ମୁଲ୍ୟ ୧,୭୩,୦୦୦ ସେମିତି କାର୍ଯ୍ୟ ପଞ୍ଚଦଶ ଅର୍ଥ କମିଶନ ଟଙ୍କାରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ କିଏ କରିବ ସେ ନେଇ ଚାଲିଛି ଟଣା ଓଟରା । ଏହିଭଳି ଘଟଣା ଗୋଟିଏ ପଞ୍ଚାୟତ ନୁହେଁ ଅନେକ ପଞ୍ଚାୟତରେ ଏବେ ଦେଖିବାକୁ ମିଳୁଛି । କିଏ କହୁଛି ଏଠି ମୁଁ ବିଧାୟିକା ଉପାଧକ୍ଷଙ୍କ ଲୋକ ତ କିଏ କହୁଛି ମୁଁ ବ୍ଲକ ଅଧକ୍ଷାଙ୍କ ଲୋକ । ଏଭଳି ବିବାଦ ପାଇଁ ଅନେକ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଅଧାରେ ଅଟକି ରହିଛି । ଯାହାର ଫଳ ଭୋଗୁଛନ୍ତି ଜନ ସାଧାରଣ ।
ଗୋଟିଏ ଦଳରେ ରହି ଗୋଷ୍ଠୀ ବିବାଦ ଭଳି ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି । ସୂଚନା ଅନୁଯାୟୀ, ବାଲିକିଆରୀ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ଅଧ୍ୟକ୍ଷାଙ୍କ ନିର୍ଦେଶରେ ଯନ୍ତ୍ରୀ କାହ୍ନୁ ଚରଣ ପ୍ରଧାନ କାର୍ଯ୍ୟ କରିବାକୁ ନଥିପତ୍ର ଦେଇଥିଲେ । କିନ୍ତୁ ପରେ ହିନ୍ଦୋଳ ବିଧାୟିକା ଗୋଷ୍ଠୀର ପାୱାରଫୁଲ ନେତା କୁହାଯାଉଥିବା ଉପାଧ୍ୟକ୍ଷଙ୍କ ଇଙ୍ଗିତରେ ସମିତିସଭ୍ୟାଙ୍କ ସ୍ୱାମୀ ବିନା କାର୍ଯ୍ୟାଦେଶରେ ଓ ବିନା ଏଷ୍ଟିମେଣ୍ଟ ରିପୋର୍ଟରେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଜୋର ଜବରଦସ୍ତ ଭାବେ ସେହି କାର୍ଯ୍ୟକୁ କରୁଛନ୍ତି । ସେଠାରେ ହେଉଥିବା କାର୍ଯ୍ୟଟି ଅତି ନିମ୍ନମାନର ହେଉଥିବା ବେଳେ ସମିତିସଭ୍ୟାଙ୍କ ସ୍ୱାମୀଙ୍କ ପାଖେ କୌଣସି ଦସ୍ତାବିଜ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଦୋଳଗୋବିନ୍ଦ ବେହେରା । ତେବେ କାହା ଇଙ୍ଗିତରେ ଓ କାହା ପାୱାରରେ ଲୋକଙ୍କ ଟଙ୍କାକୁ ମନଇଛା ଆତ୍ମସାତ କରାଯାଉଛି ଏବଂ ସମସ୍ତ ସରକାରୀ ନିୟମକୁ ଫୁ କରି ଦିଆଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି ।
ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ଗୋଷ୍ଠୀ ବିବାଦ ଭିତରେ ବ୍ଲକ କର୍ତ୍ତୁପକ୍ଷ ପେଶି ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏ ବାବଦରେ ଆମ ପ୍ରତିନିଧି ହିନ୍ଦୋଳ ବିଡ଼ିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା । ତେବେ ଦେଖିବାକୁ ବାକି ରହିଲା ବଡବଡିଆଙ୍କ କଳିରେ ଉନ୍ନତିମୂଳକ କାର୍ଯ୍ୟକୁ କିପରି ତୁଲାଉଛନ୍ତି ପ୍ରଶାସନିକ ଅଧକାରୀ ଏବଂ ସରକାରୀ କର୍ମଚାରୀ ।