ପଂଚଭୂତରେ ଲୀନ ହେଲେ ପୂର୍ବତନ ଯବାନ ଏନ୍. ମନମତ ରାଓ; ପ୍ରଶାସନ ପକ୍ଷରୁ ଯବାନଙ୍କୁ ମିଳିଲାନି ଶେଷ ସମ୍ମାନ…

କୋଟପାଡ଼, ୨/୧୨ (ସୁନୀଲ ଦାଶ) : ଆରପାରିକୁ ଚାଲିଗଲେ ପୂର୍ବତନ ସୈନିକ ଏନ୍. ମନମତ ରାଓ । ସେ ଭାରତୀୟ ସ୍ଥଳସେନାର ଜଣେ ଟ୍ୟାଙ୍କ ଡ୍ରାଇଭର ସିପାହୀ (ASP) ଅର୍ଥାତ ଇଣ୍ଡିଆନ ଆରମି ସପ୍ଲାୟ କୋର ୟୁନିଟରେ ଗରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରୁଥିଲେ । ୧୯୬୨ ମସିହା ଓ ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ସେନା ପାଇଁ ନିଜ ସେବା ସମର୍ପଣ ଏବଂ ଭାରତ ମାଁ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଏହି ମୁଖ୍ୟ ୨ ଯୁଦ୍ଧରେ ଏକ ସୁଯୋଗ୍ୟ ସନ୍ତାନ ଭାବେ ଯୋଗ ଦେଇଥିଲେ । ଭାରତୀୟ ସେନାରୁ ଅବସର ନେବା ପରେ ସେ କୋଟପାଡ଼ ସହରରେ ବ୍ୟବସାୟ କରି ବସବାସ କରୁଥିଲେ । ତାଙ୍କ ଅନୁଶାସିତ ଚିନ୍ତାଧାରା ଓ ବ୍ୟବହାର ସମାଜକୁ ନିଶ୍ଚିତ ଏକ ଦିଗଦର୍ଶନ ଓ ପ୍ରେରଣା ଦେଉଥିଲା । ସଭିଏଁ ତାଙ୍କୁ ବେଶ୍ ଭଲପାଉଥିଲେ । ସେ ଭାରତୀୟ ସେନାରୁ ନିଶ୍ଚିତ ଅବସର ଗ୍ରହଣ କରିଥିଲେ କିନ୍ତୁ ଦେଶ ପାଇଁ ତାଙ୍କ ହୃତ ସ୍ପନ୍ଦନ, କର୍ତବ୍ୟ ଓ ସମାଜ କଲ୍ୟାଣର ଦିଗଦର୍ଶନ ନିରନ୍ତର ଯୁବପିଢ଼ିଙ୍କୁ ପ୍ରେରିତ କରୁଥିଲା ।

କୋଟପାଡ଼ ଅଂଚଳର ସମସ୍ତ ଅବସରପ୍ରାପ୍ତ ସୈନିକ ଏହି ଭାରତମାତାର ବୀରପୁତ୍ରଙ୍କୁ ଗାର୍ଡ ଅଫ୍ ଅନର ଦେଇଛନ୍ତି । ତାଙ୍କ ଅନ୍ତେଷ୍ଟି କ୍ରିୟାକର୍ମରେ କୋଟପାଡ଼ ଅଂଚଳର ବହୁ ଜନସାଧାରଣ, ଯୁବପିଢ଼ୀ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖବାକୁ ମିଳିଛି । ମାତ୍ର ପ୍ରଶାସନିକ କ୍ଷେତ୍ରରେ ଭାରତର ବୀର ପୁତ୍ରଙ୍କୁ କିଭଳି ସମ୍ମାନ ଦିଆଯାଏ ସେ ଦିଗରେ ଅଭାବ ଦେଖିବାକୁ ମିଳିଛି । ବୀରପୁତ୍ରଙ୍କ ଶେଷଯାତ୍ରାରେ କୋଟପାଡ଼ ବ୍ଲକ ଉନୟନ ଅଧିକାରୀ ଶ୍ରୀ ଲଳିତ ମଣ୍ଡଳ ଏବଂ କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ ଯୋଗ ଦେଇଥିଲେ । କିନ୍ତୁ ବୀର ଯବାନଙ୍କୁ ନା ମିଳିପାରିଲା ନିଜ ପ୍ରିୟ ଭାରତୀୟ ପତାକାର ଚାଦର ନା କୌଣସି ସମ୍ମାନ । କୋଟପାଡ ଅଂଚଳରେ ବୀର ଯବାନଙ୍କ ଅନ୍ତେଷ୍ଟି କ୍ରିୟାରେ ପ୍ରଶାସନ ବାରମ୍ବାର ଏଭଳି ଅବହେଳା ଦେଖାଉଥିବାବେଳେ ଆଗାମୀ ଦିନରେ ଅଂଚଳର ଯୁବପିଢ଼ୀ ଏ ଦିଗରେ କିଭଳି ପ୍ରେରିତ ହେବେ ସେ ଦିଗରେ ସନେ୍ଦହ ଉପୁଜୁଥିବା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।