ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଆୟୋଜିତ

ଗଜପତି, ୨୬/୧୧ (ବିବେକାନନ୍ଦ ବେହେରା) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ରାଣିପେଣ୍ଠା ଗ୍ରାମ ପଂଚାୟତରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ କୁମାର ପଣ୍ଡା, ଡିପିଏମ୍ ତିମନ ବାରା ଓ ସରପଂଚ ପିନିଂଟି ଅରୁଣା ପ୍ରମୁଖ ମଂଚାସୀନ ହୋଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପୂର୍ବରୁ “ଆମ ସଂକଳ୍ପ ବିକଶିତ ଭାରତ” ରଥକୁ ମୂଖ୍ୟ ରାସ୍ତାଠାରୁ ବହୁ ଆଡମ୍ବର ସହକାରେ ସ୍ୱାଗତ କରାଯିବା ସହ ସଭାସ୍ଥଳକୁ ଅଣାଯାଇଥିଲା । ପରେ ସଭାସ୍ଥଳରେ ଟିଭି ମାଧ୍ୟମରେ ସମସ୍ତ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ତିନି ମାସ ମଧ୍ୟରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାରୁ ବାତଭା ରାମାରାଓଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଅଗ୍ରଣୀ କୃଷକ ଶ୍ରୀ ଆଈ ସେଂନଚି ରାଓ, ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସନ୍ତୋଷି ମହିଳା ମଣ୍ଡଳ, ମମତା ଯୋଜନାରେ ଉପକୃତ କମଳା ପାଶୁପୁରେଡି ଓ ହାଇସ୍କୁଲ ଛାତ୍ରୀ ସୁରଭି ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର କୁମାର ରଥ, ଭଗବାନ ନାୟକ, ସନ୍ତୋଷ କୁମାର ବାହାଦୂର ପ୍ରମୁଖ ପରିଚାଳନା କରିଥିଲେ ।