ସଞ୍ଜୟଙ୍କ ମୁହଁରେ ହସ ଫୁଟାଇଲା ଜୟ ଓଡିଶା

ଭୁବନେଶ୍ୱର, ୨୬/୧୧ (ଅଭିଜିତ୍ ସିଂ) : ୟୁନିଟ୍ ୩ ଖାରବେଳ ନଗର ପାର୍କ ନିକଟରେ ବାସ କରେ ୧୪ ବର୍ଷୀୟ ବାଳକ ସଞ୍ଜୟ ପଣ୍ଡା । ଛୁଆଟି ବେଳୁ ଶାରୀରିକ ଅକ୍ଷମତା ଯୋଗୁ ବାହାର ଦୁନିଆ ଦେଖି ନଥିଲା ଏହି ନିଷ୍ପାପ ବାଳକ । ଘରର ଗୋଟିଏ କୋଣରେ ରହୁଥିବାରୁ ପିଲାଟିର ଜୀବନ ଅନ୍ଧକାରମୟ ସଦୃଶ ହୋଇଯାଇଥିଲା । ଏହାମଧ୍ୟରେ ହୃଷୀକେଶ ବେହେରା ନାମକ ଜଣେ ବ୍ୟକ୍ତି ସଞ୍ଜୟଙ୍କ ଘର ପାଖକୁ କାମ କରିବାକୁ ଆସନ୍ତି ଓ ସଞ୍ଜୟଙ୍କ ବିଷୟରେ ଜାଣିବାକୁ ପାଆନ୍ତି । ଏ ନେଇ ହୃଷୀକେଶ ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ସହ ଯୋଗାଯୋଗ କରି ସଞ୍ଜୟଙ୍କ ବିଷୟରେ କହିବା ସହ ତାଙ୍କୁ ସାହାଯ୍ୟ ମାଗିଥିଲେ । ଏହା ଶୁଣି ରୁଦ୍ର ସାମନ୍ତରାୟ ଓ ଜୟ ଓଡ଼ିଶାର ସ୍ୱେଚ୍ଛାସେବୀମାନେ ସଙ୍ଗେ ସଙ୍ଗେ ସଞ୍ଜୟଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ଏକ ହୁଇଲ ଚେୟାର ମିଳିଲେ ସେ ଚଳପ୍ରଚଳ ହୋଇପାରିବେ ବୋଲି ହୃଦୟଙ୍ଗମ କରିଥିଲେ । ଜୟ ଓଡ଼ିଶାର “ସହାୟତା” କାର୍ଯ୍ୟକ୍ରମ ଜରିଆରେ ସଞ୍ଜୟଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଏବେ ହୁଇଲ ଚେୟାରରେ ବସି ସଞ୍ଜୟ ଦେଖିପାରୁଛି ସୂର୍ଯ୍ୟାଲୋକ ଓ ଏହି ହୁଇଲ ଚେୟାରଟି ସଞ୍ଜୟ ଓ ତାଙ୍କ ପରିବାରବର୍ଗଙ୍କ ପାଇଁ ସାଜିଛି ଆଶାର ଆଲୋକ । ଏ ନେଇ ସଞ୍ଜୟଙ୍କ ପରିବାର ସମେତ ପାଖ ପଡ଼ିଶା ଓ ସାହିର ସମସ୍ତ ବାସିନ୍ଦା ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଅନେକ କୃତଜ୍ଞତା ଜଣାଇବା ସହ ସଞ୍ଜୟ ପାଇଁ ସେ ଭଗବାନଙ୍କର ଜଣେ ଦୂତ ସଦୃଶ୍ୟ ବୋଲି କହି ଭାବବିହ୍ୱଳ ହୋଇଯାଇଥିଲେ ।
ଜୟ ଓଡ଼ିଶାର “ସହାୟତା” କାର୍ଯ୍ୟକ୍ରମ ଜରିଆରେ ବିଗତ ୬ ମାସ ମଧ୍ୟରେ ପ୍ରାୟ ୭୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପକୃତ ହୋଇଛନ୍ତି ଓ ଏହାର ବିଶେଷତ୍ୱ ହେଉଛି କିଛି ସହୃଦୟ ବ୍ୟକ୍ତି ନିଜର ପୁନଃ ବ୍ୟବହାର ଯୋଗ୍ୟ ମେଡିକାଲ ସରଞ୍ଜାମ ଗୁଡିକ ଜୟ ଓଡ଼ିଶାକୁ ଦାନ କରିଥିଲେ । ସେହି ସରଞ୍ଜାମ ଗୁଡିକ ଅନେକ ଲୋକଙ୍କ କାମରେ ଲାଗୁଛି । ଏହାଛଡା ନିଜର କିଛି ବିଶେଷ ଦିନ ଗୁଡିକ ସ୍ମରଣୀୟ କରିବା ନିମନ୍ତେ ମଧ୍ୟ ନିଜ ଜନ୍ମଦିନ, ନିଜ ପିତାମାତାଙ୍କ ଜନ୍ମଦିନମାନଙ୍କରେ ଏହିଭଳି ମହତ୍ ଦାନ କରି ଅନେକ ଆଶୀର୍ବାଦ ସାଉଁଟି ପାରୁଛନ୍ତି । ଏଣୁ ହୁଇଲ ଚେୟାର, ୱାକର, ମେଡିକାଲ ବେଡ୍ ଆଦି ଭଳି କିଛି ବି ସରଞ୍ଜାମ ଦାନ କରି ସଞ୍ଜୟଙ୍କ ଭଳି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟେଇବାକୁ ଚାହୁଁଥିଲେ, ୯୮୫୩୨୨୦୦୨୩ ନମ୍ବରରେ ଯୋଗାଯୋଗ କରିବା ପାଇଁ ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ଅନୁରୋଧ କରିଛନ୍ତି ।