ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ…

ବରଗଡ, ୨୩/୧୧ : ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ । ଦୀର୍ଘ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର । ଜାନୁୟାରୀ ୨୫ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ସମିତିର ସଭାପତି ତଥା ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି ।
ଆସନ୍ତା ଧନୁଯାତ୍ରାକୁ ଆହୁରି ଦେଢ଼ମାସ ବାକି ଥିବାବେଳେ ଚଳିତଥର ଏହାକୁ ଆହୁରି ଶୃଙ୍ଗଳିତ, ଏବଂ ସୁରକ୍ଷିତ ଭାବେ ସମାପନ କରିବାକୁ ଗୁରୁତ୍ୱ ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହା ସହିତ ଧନୁଯାତ୍ରାରେ ହେଉଥିବା ଆର୍ଥôକ କାରବାର ଉପରେ ସ୍ୱଚ୍ଛତା ରଖିବାକୁ ବୈଠକରେ ଦାବି ହୋଇଛି । ସମିତିର ଆବାହକ ତଥା ସମ୍ପାଦକ ସୁରେଶ୍ୱର ଶତପଥୀ ଗତ ଧନୁଯାତ୍ରା ମହୋତ୍ସବର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ଗତବର୍ଷ ଧନୁଯାତ୍ରାରେ ବିଭିନ୍ନ ସୂତ୍ରରୁ ୧ କୋଟି ୮୨ ଲକ୍ଷ ୯୭ ହଜାର ୫୪୪ ଟଙ୍କା ସଂଗୃହୀତ ହୋଇଥିବା ବେଳେ ୧ କୋଟି ୫୭ ଲକ୍ଷ ୨୧ ହଜାର ୬୪୫ ଟଙ୍କା ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଥିଲେ । ସେହିପରି ଏପର୍ଯ୍ୟନ୍ତ ସମିତିର ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ୨ କୋଟି ୧୧ ଲକ୍ଷ ୨୫ ହଜାର ୧୫୬ ଟଙ୍କା ୪୦ ପଇସା ଜମା ରହିଥିବା ସେ କହିଥିଲେ । ଧନୁଯାତ୍ରା ସରିବାର ବହୁ ବିଳମ୍ବରେ ବୈଠକ କରାଯିବା ଏବଂ ଆୟବ୍ୟୟ ବିବରଣୀ ଦେବାକୁ ନେଇ ବୈଠକରେ ଉପସ୍ଥିତ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପରବର୍ତୀ ଧନୁଯାତ୍ରା ସରିବାର ସେଭଳି ବିଳମ୍ବ ନ କରିବାକୁ ଦାବି ଉପସ୍ଥାପନ କରିଥିଲେ ।
ଅନୁଷ୍ଠିତ ବୈଠକରେ ଏସ୍ପି ପି.ଏସ୍ ମୀନା, ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହା, ଉପଜିଲାପାଳ କୁମାର ନାଗଭୂଷଣ, ପୌରାଧ୍ୟକ୍ଷା କଳ୍ପନା ମାଝି ପ୍ରମୁଖ ମଂଚାସୀନ ଥିଲେ । ସେହିପରି ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ ସବ୍କମିଟି, ଜିଲା ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ ।