ଧ୍ୟାନକୁଦ ପୀଠରେ ପବିତ୍ର ଅଁଳା ନବମୀ ପାଳିତ; ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼…

ଜଗତସିଂହପୁର, ୨୨/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଦେବୀ ନଦୀ କୂଳରେ ଅବସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନାବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍ ଖୁସି ଥିବା କହିଛନ୍ତି । କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପବିତ୍ର ଅଁଳା ନବମୀ ଏବଂ ଶ୍ରୀ ରାଧା ପାଦ ଦର୍ଶନ ହୋଇଥାଏ । ରାଧା ପାଦ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପୀଠରେ ଏକ ମାସ ଧରି ହାବିଷ୍ୟାଳି ରହି ରାଇ ଦାମୋଦର ପୂଜା କରିଥାନ୍ତି ।
ପଂଚସଖାମାନେ ଏହି ସ୍ଥାନରେ ଧ୍ୟାନ କରିଥିବା କିମ୍ବଦନ୍ତୀ ରହିଛି । ତେବେ ଏହି ପୀଠ ଧ୍ୟାନକୁଦ ନାମରେ ପରିଚିତ । ଏହି ମନ୍ଦିର ଜଗନ୍ନାଥ ସଂସ୍କୃତି ସହିତ ଜଡିତ । ଏଠାରେ ମଧ୍ୟ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ପବିତ୍ର ଅଁଳା ନାବମୀ ମହା ଆଡମ୍ବରରେ ପାଳନ କରାଯାଇ ଥିବାବେଳେ ବହୁ ଭକ୍ତ, ସାଧୁ ସନ୍ଥମାନେ ମଧ୍ୟ ଯୋଗ ଦେଇଥାନ୍ତି । ଏହା ସହିତ ଏହି ଅବସରରେ ମଠାଧିଶ ବାବାଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ବିଶ୍ୱାସ ରହିଛି ଏଠାରେ ଯାହା ମାନସିକ କଲେ ସବୁ ଇଚ୍ଛା ପୂରଣ ହୋଇଥାଏ ।