ଜନ୍ମମାଟିର ମହକ

ଲଳିତା ବହୁତ ବର୍ଷ ଓଡିଶା ବାହାରେ ରହି ଯାଇଥିଲେ । ସ୍ୱାମୀଙ୍କର ବଦଳି ଚାକିରୀ । ଆଜି ଏଠି ତ କାଲି ସେଠି । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭାଷା ଭାଷୀ ଲୋକ । ଆଚାର ବ୍ୟବହାର ସବୁ ଭିନ୍ନ । ନିଜେ ବହୁତ ମେଳାପୀ । ସେଥିପାଇଁ ଯୁଆଡେ ଯାଆନ୍ତି ଗୁଡ଼େ ବନ୍ଧୁ ତିଆରି ହେଇ ଯାନ୍ତି ।ା
ଦଶ ବର୍ଷ ବାହାରେ ରହିବା ପରେ ତାଙ୍କର ଭୁବନେଶ୍ୱର କୁ ବଦଳି ହେଲା । ଖୁସି କହିଲେ ନ ସରେ । ନିଜ ରାଜ୍ୟକୁ ଫେରିବେ । ଯାହା ହେଲେବି ନିଜର । କେତେ ଅତ୍ମୀୟତା କେତେ ଅନ୍ତରିକତା କେମିତି ଏକ ନିଜର ନିଜର ଭାବ । ବାହାର ରାଜ୍ୟରେ ଏଇ ଜିନିଷର ଅଭା୍ୱ ସେ ବହୁତ ଅନୁଭବ କରିଛନ୍ତି ।
ଭୁବନେଶ୍ୱରରେ ନିଜର ଫ୍ଲାଟ ଟିଏ ଅଛ ି । ସେଇଠି ରହିବେ । ଜିନିଷ ପତ୍ର ସବୁ ସଜେଇ ସାରିଲେଣି ନିଜ ଘରେ । କିଛି ଜିନିଷ କିଣିବାକୁ ପଡିବ । ସ୍ୱାମୀ ସ୍ତ୍ରୀ ଦୁହେଁ ବଜାର ବାହାରିଲେ । କିନ୍ତୁ ଏ କଣ ? ରାସ୍ତାରେ ପିଲାମାନେ ହିନ୍ଦୀରେ କଥାବାର୍ତା କରୁଛନ୍ତି । ଭାବିଲେ ବାହାର ରାଜ୍ୟର ପିଲା ନିଶ୍ଚୟ । ଅତି ନିକଟରୁ ଶୁଣିବା ପରେ ଜାଣିଲେ ସବୁ ଓଡ଼ିଆ ପିଲା । ମନଟା ଦୁଃଖ ହେଇଗଲା । ଓଡ଼ିଆ ପିଲା ହେଇକି ହିନ୍ଦୀ ଇଂରାଜୀରେ କଥା ହେବା ତାଙ୍କୁ ଜମାରୁ ପସନ୍ଦ ନୁହଁ । ଟ୍ରେନରେ ଯିବା ଆସିବାରେ ସେ ଦେଖିଛନ୍ତି ଅନେକ ଓଡ଼ିଆ ପରିବାରଙ୍କୁ, ଯିଏ କି ନିଜ ପିଲାଙ୍କ ସହ ଇଂରାଜୀରେ କଥା ହୁଅନ୍ତି । କେତେକ ତ ଅତି ଗର୍ବରେ କୁହନ୍ତି “ଜାଣିଛନ୍ତି ନା ଆମ ପିଲାମାନେ ଓଡ଼ିଆ କହି ପାରନ୍ତିନି କି ଲେଖି ପାରନ୍ତିନି” । ଲଳିତା ବୁଝି ପାରନ୍ତିନି ଏ ମାତାପିତା ମନେ ଲଜ୍ଜା ବଦଳରେ ଗର୍ବ କିପରି ଅନୁଭବ କରନ୍ତି?
ଯେଉଁ ମହକକୁ ପ୍ରାଣ ଭରି ଉପଭୋଗ କରିବେ ବୋଲି ଭାବିଥିଲେ , ଧୀରେ ଧୀରେ ଫିକା ପଡିବାରେ ଲାଗିଲା । ଏ ଦଶ ବର୍ଷ ଭିତରେ ଓଡ଼ିଶାରେ ବହୁତ ପରିବର୍ତନ ହେଇ ଯାଇଛି । ରାସ୍ତା ଘାଟ ଦୋକାନ ବଜାର ସବୁଠି ମାଡ଼ାମ ଡାକ ଶୁଣିବାକୁ ପଡିଲା । ଏମିତିକି ନିଜ ପିଲା ବୟସର ପିଲାମାନେ ବି ମାଡ଼ାମ ବୋଲି ଡାକୁଥାନ୍ତି । ଲଳିତା ପୁରୀ ଲୋକ । ପାଠପଢ଼ା, ବିବାହ ସବୁ ପୁରୀରେ ମାଆ, ମାଉସୀ, ବଡ଼ମା, ଖୁଡି, ଝିଅ, ଭଉଣୀ, ନାନୀ, ଭାଉଜ, ଅପା ଏମିତି ଡାକରେ ସେ ଅଭ୍ୟସ୍ତ ଥିଲେ । ଏ ମାଡାମ ଡାକ ତାଙ୍କୁ ବଡ଼ ଅବାଗିଆ ଶୁଣାଗଲା । ଥରେ ଲୁଗା ଦୋକାନରେ ପିଲାଟିଏ ତାଙ୍କୁ ଦିଦି ବୋଲି ଡାକିଦେଲା । ସେ ସ୍ନେହରେ କହିଲେ “ପୁଅରେ ମୁଁ ପରା ତୋ ମା ବୟସର । ମୋତେ ମାଆ କି ମାଉସୀ ଡାକୁନୁ” । ପିଲାଟି ତାଙ୍କୁ ଏମିତି ଦେଖିଲା ଯେମିତି ସେ କିଛି ଗୋଟିଏ ଭୁଲ କଥା କହିଦେଲେ । ସ୍ୱାମୀ ବିରକ୍ତ ହେଲେ । ଅଯଥା କଥା ମୁଣ୍ଡରେ ପୁରେଇବାକୁ ମନା କଲେ । ସେଦିନ ସେ ବେଶୀ ଦୁଃଖୀ ହେଲେ ଯେଉଁଦିନ ତାଙ୍କ ପ୍ରିୟ ବନ୍ଧବୀର ପିଲାମାନେ ତାଙ୍କୁ ଆଂଟି ବୋଲି ଡାକିଲେ । ଆଜିକାଲି ଆଂଟି ଡାକିବା ଷ୍ଟାଇଲରେ ପରିଣତ ହେଇ ଗଲାଣି । ସେ କିନ୍ତୁ ବାହାରେ ରହିଲେବି ପିଲାମାନଙ୍କୁ ମାଉସୀ ମଉସା ଏମିତି ଡାକିବାକୁ ଶିଖେଇଥିଲେ । ମାଉସୀ ଡାକରେ ଯୋଉ ଅତ୍ମୀୟତାର ଅନୁଭବ ହୁଏ ଆଂଟି ଡାକରେ କାହିଁ???
ଇଏତ ଗଲା ଡାକିବା କଥା । ପିଲାମାନେ ଆଜିକାଲି ଗୁରୁଜନଙ୍କୁ ସମ୍ମାନ ଦେବା ବି ଶିଖି ନାହାନ୍ତି । ତାଙ୍କ ପିଲାବେଳେ ଯଦି ପିଲାଟିଏ କିଛି ଭୁଲ କରୁଥିଲା, ତାକୁ ପଡୋଶୀ କଣ ରାସ୍ତା ଘାଟରେ ବି କେହି ଗୁରୁଜନ ଦେଖିଲେ ଆକଟି କରି କିଛି କହି ପାରୁଥିଲେ । ଏବେ ନିଜ ପରିବାର ଲୋକଙ୍କର ବି କିଛି କହିବାକୁ ସାହସ ନାହିଁ । ବାପମାଆ ଖୋଜି ହଉଛନ୍ତି ଲାଳନ ପାଳନରେ ତ୍ରୁଟି କୋଉଠି ରହିଗଲା । । ଉତର ମିଳୁନି ତାଙ୍କୁ । ସେଦିନ ଲଳିତାଙ୍କର କାର ଗୋଟିଏ ଅଣଓସାରିଆ ଗଳିରେ ଅଟକି ଗଲା । ଚେଷ୍ଟା କରୁଥାନ୍ତି ସେଠୁ ବାହାରିବାକୁ ଷୋହଳ ସତର ବର୍ଷର ପିଲାଟି ପଛରୁ କହୁଥାଏ “ମାଡାମଙ୍କୁ ଯଦି ଆସୁନି ମୋତେ ଦେଇ ଦିଅନ୍ତୁ ଗଡ଼ିଟା” ସେ ରାଗିବେ ନା କି ପିଲାଟିର ମାତାପିତାଙ୍କ ଭାବିଷ୍ୟତ ଚିନ୍ତା କରି ଦୁଃଖ କରିବେ ବୁଝି ପାରିଲେନି ।
କଣ ଆଉ କରିବେ । କାହାକୁ କାହାକୁ ଆଉ ବୁଝେଇବେ ଏମିତି ଡାକ ଏମିତି କୁହ । ଛାଡ଼ ମନଟା ଖରାପ ହେଇଗଲା । ନିଜ ଜନ୍ମ ମାଟିର ବାସ୍ନା ବି କେମିତି ଅଜଣା ଅଜଣା ଲାଗିଲା । ମନେ ମନେ ଭାବିଲେ, ଆଉ କଣ କେବେବି ଆମ ସଂସ୍କୃତି ଫେରିବନି । ପାଶ୍ଚାତ୍ୟ ସଭ୍ୟତାରୁ କେବେ ମୁକୁଳିବ ଆମ ସମାଜ । ପୁଣି ଥରେ ଆମ ମାଟି ଓଡ଼ିଆ ଓଡ଼ିଆ ବାସ୍ନାରେ ମହକି ଉଠିବ?

ସୁମିତା ବେହେରା (ବାପି)
୭୮୦୯୨୩୬୦୪୩