ଭେଣ୍ଡିଂ ଜୋନରେ ଦୀର୍ଘ ଦିନ ଦୋକାନ ବନ୍ଦ କିମ୍ବା ଭଡାରେ ଦେଲେ ହେବ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର, ୨୧/୧୧ : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସାଧାରଣ ବୈଠକ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଏମସି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ଦେବା ପରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ପୂର୍ବ ବୈଠକର ପ୍ରସ୍ତାବଗୁଡିକ ଆଗତ କରିଥିଲେ । ସେଗୁଡିକ ସର୍ବସମ୍ମତି କ୍ରମେ ଗୃହୀତ ହେବା ପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତର କାର୍ଯ୍ୟକ୍ରମ ।
ବସ୍ତି ବାସିନ୍ଦା ତଥା ଭୁବନେଶ୍ୱରରେ ଘର ନଥିବା ଗରିବ ଲୋକଙ୍କୁ ତିନୋଟି ସ୍ଥାନ ଯଥା-ଚନ୍ଦ୍ରଶେଖରପୁର, ଶାନ୍ତି ପଲ୍ଲୀ ଏବଂ ସୁବୁଦ୍ଧିପୁର ଏଏଚ୍ପିରେ ଗୃହ ଆବଂଟନ କରାଯାଇଥିବାରୁ, ସର୍ବସମ୍ମତି କ୍ରମେ ମାନ୍ୟବର ମୁଖମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଧନ୍ୟବାଦ ଅର୍ପଣ କରାଯାଇଛି । ଆଗାମୀ ଦିନରେ ବିଏମ୍ସିର ପ୍ରତି ଜୋନ୍ରେ ରାହାଗିରି ବା ପଥୋତ୍ସବ ହେବ ଏବଂ ପରିମଳ ସଂପର୍କରେ ସିଟି ଆକ୍ଟିଭେସନକୁ ଜୋରଦାର କରାଯିବା ଏଥିପାଇଁ ପ୍ରତିଜୋନ୍ରୁ ଦୁଇ ଜଣ ଲେଖାଏଁ କର୍ପୋରେଟର ଏବଂ ବିଏମ୍ସି ଅଧିକାରୀଙ୍କୁ ନେଇ ଅତିରିକ୍ତ କମିଶନର ଶ୍ରୀ ସୂର୍ଯ୍ୟବଂଶୀ ମୟୂରବିକାଶଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ତିନୋଟି ଜୋନ୍ରେ ହେବାକୁ ଥିବା ରାହାଗିରି ପାଇଁ ଗଠିତ କମିଟି ସମସ୍ତ ପ୍ରକାର ନିଷ୍ପତି ନେବ ବୋଲି ବୈଠକରେ ସ୍ଥିର ହୋଇଛି । ରାହାଗିରି, ସାଧାରଣ ନାଗରିକଙ୍କ ପାଇଁ ଅନୁଷ୍ଠିତ ହେଉଛି । ତେଣୁ ସାଧାରଣ ନାଗରିକଙ୍କୁ ଅଧିକରୁ ଅଧିକ ସାମିଲ କରିବା ପାଇଁ ଯାହା ଯାହା କାର୍ଯ୍ୟକ୍ରମ ଆବଶ୍ୟକ, ସେ ସମସ୍ତ ନିଷ୍ପତି ଏହି କମିଟି ନେବ ବୋଲି କହିଛନ୍ତି ମାନନୀୟା ମେୟର । ଆସନ୍ତା ଡିସେମ୍ବରରେ ଗୋଟିଏ ଏବଂ ଜାନୁଆରୀରେ ଦୁଇଟି ଏପରି ମୋଟ ତିନୋଟି ଜୋନ୍ରେ ପଥୋତ୍ସବ ଅନୁଷ୍ଠିତ ହେବ ।
ସଂପ୍ରତି ସାନିଟେସନ କାମ ସହରରେ ଭଲ ଭାବେ ଚାଲିଥିବାରୁ ସମସ୍ତ କର୍ପୋରେଟର ସନ୍ତୋଷ ପ୍ରକାଶ କରଥିଲେ । ଆଗାମୀ ଦିନରେ ଏହାକୁ ବଳବତର ରଖିବାକୁ ସମସ୍ତେ ମତବ୍ୟକ୍ତ କରିଛନ୍ତି । କେତେକ ୱାର୍ଡରେ ୱାର୍ଡ ଅଫିସ କାମ ହୋଇପାରି ନାହିଁ । ତେବେ ସେଠାରୁ ଜବର ଦଖଲ ଉଠିବା ସହ କେତେକ ସ୍ଥାନରେ ବନ ବିଭାଗଠାରୁ ଅନୁମତି ଆସିବା ପରେ ସେଗୁଡିକରେ କାମ ଆରମ୍ଭ କରାଯିବା ପାଇଁ ଆଲୋଚନା ହୋଇଥିଲା । ମହାନଗର ନିଗମାଂଚଳରେ ଥିବା ସମସ୍ତ କଚ୍ଚା ରାସ୍ତାକୁ ପକ୍କା କରାଯିବ । ଏଥିପାଇଁ କେତେକ ପ୍ରସ୍ତାବ ଆସିଛି । ଆଉ କେଉଁ କେଉଁ ୱାର୍ଡରେ କଚ୍ଚା ରାସ୍ତା ରହିଛି, ସେ ସଂପର୍କରେ ତୁରନ୍ତ ଜଣାଇବାକୁ କର୍ପୋରେଟରମାନଙ୍କୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ।
ଏହାବ୍ୟତୀତ ଭୁବନେଶ୍ୱରରେ ଥିବା ସମସ୍ତ ଶ୍ମଶାନର ଚିତ୍ର ବଦଳିବ । ଖାସ କରି ସତ୍ୟ ନଗର ଶ୍ମଶାନକୁ ସ୍ୱତନ୍ତ୍ର ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏବେ ଯୁଦ୍ଧ କାଳୀନ ଭିତିରେ ୫ଟି ଶ୍ମସାନର କାମ କରାଯିବ । ପରେ ପର୍ଯ୍ୟାୟକ୍ରମେ ସମସ୍ତ ଶ୍ମଶାନର କାମ କରାଯିବାକୁ ନିଷ୍ପତି ହୋଇଛି । ସବୁ ଶ୍ମଶାନରେ ଚୁଲା, ପାନୀୟଜଳ, ଆଲୋକ, ଶୌଚାଳୟ, ବିଶ୍ରାମାଗାର, ପାର୍କ, ଗାର୍ଡ ଓ କର୍ମଚାରୀଙ୍କ ପାଇଁ ଘର ଆଦି ବ୍ୟବସ୍ଥା ରହିବ ।
ସାତ ନମ୍ବର ୱାର୍ଡରେ ଡ୍ରେନ କାମ କରୁଥିବା ଠିକାଦାର କାମରେ ବହୁ ବିଳମ୍ବ କରୁଛନ୍ତି । କାମରେ କାହିଁକି ବିଳମ୍ବ ହେଉଛି, ତାର ଯଥାଯଥ କାରଣ ଦର୍ଶାଇ ନପାରିଲେ, ତାଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି ମେୟର ସ୍ପଷ୍ଟ କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ ରହିଛି । ମାତ୍ର କେତେକ ଦୋକାନୀ ଦିର୍ଘଦିନ ହେଲା ବନ୍ଦ କରି ରଖିଥିବାବେଳେ ଅନ୍ୟ କେତେକ ଭଡା ସୂତ୍ରରେ ଦେଇଛନ୍ତି ବୋଲି କର୍ପୋରେଟରମାନେ ଅଭିଯୋଗ କରିଥିବାବେଳେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି । ଯେଉଁମାନେ ଭେଣ୍ଡିଂ ଜୋନ୍ ନେଇ ଭଡାରେ ଦେଇଛନ୍ତି, ସେମାନଙ୍କର ଭେଣ୍ଡିଂ ଜୋନ୍ ବାତିଲ କରିବାକୁ ନିର୍ଦେଶ ଦେଇଛନ୍ତି ।
ଏହି ଅବସରରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗ ଦେଇ ମେୟର, କମିଶନର, କର୍ପୋରେଟର ଏବଂ ଟିମ୍ ବିଏମ୍ସି ଭଲ କାମ କରୁଥିବାରୁ ଧନ୍ୟବାଦ ଦେଇଥିଲେ । କଳିଙ୍ଗବିହାର ପାର୍କକୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ସମସ୍ତ କର୍ପୋରେଟର, ସାଂସଦଙ୍କ ପ୍ରତିନିଧି ମଦନ ମୋହନ ପ୍ରଧାନ, ଉତର ବିଧାୟକଙ୍କ ପ୍ରତିନିଧି କୁନୀଲତା ମହାରଣା, ଏକାମ୍ର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ (ଏସଏସ୍ଇପିଡି)ଙ୍କ ପ୍ରତିନିଧି ଦାସରଥି ଗରାବଡୁଙ୍କ ସମେତ ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂରବିକାଶ, ସିଟି ଇଂଜିନିୟର ଗୌତମ ଚନ୍ଦ୍ର ଦାସ, ସଂଯୁକ୍ତ ବିଭାଗୀୟ ଅଧିକାରୀ ଏବଂ ବିଏମ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ ।