ବିଭିନ୍ନ ଦାବି ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିଲା ଆଦିବାସୀ କଲ୍ୟାଣ ସଂଘ…

ନୂଆପଡା, ୧୯/୧୧ (କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି କାର୍ଯ୍ୟରେ ଅନ୍ୟତ୍ର ଯାଇଥିବାରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଥିଲେ । ଜିଲ୍ଲାରେ ୨୦୦୬ ରୁ ଆରଏ ଯୋଜନାରେ ୧୩୧ଟି ମାମଲା ବିଚାରାଧୀନ ଭାବେ ରହିଛି । ଶିକ୍ଷା ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ବିଚାର କରି ନ ଥିବାରୁ ଆରଏ ଯୋଜନା (ପୁନଃବାସ ଥଇଥାନ ସହାୟକ)ରେ ଯେଉଁମାନେ ସୁବିଧା ପାଇବା ପାଇଁ ଯୋଗ୍ୟ ସେମାନେ ଏଥିରୁ ବଞ୍ଚିତ ହୋଇଛନ୍ତି ।
ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି କରାଯାଉ, ଅଧିକାଂଶ ବିଦ୍ୟାଳୟର ଶିକ୍ଷକ ଅବସର ଗ୍ରହଣ କରି ପଦବୀ ଖାଲି ପଡିଛି । ତେଣୁ ସେହି ସ୍ଥାନରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରାଯାଉ, ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଜିପିଏଫ୍ ଓ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ, ବିଭିନ୍ନ କାର୍ଯ୍ୟରେ ଅବହେଳା କରି ନିଳମ୍ବିତ ହୋଇଥିବା ଶିକ୍ଷକମାନଙ୍କୁ କାର୍ଯ୍ୟରେ ପୁନଃ ସ୍ଥାପିତ କରାଯାଉ, ତୃତୀୟସ୍ତର ପଦୋନ୍ନତିରେ ପାତରଅନ୍ତର କରାଯାଇ ୧୯୯୪ ବ୍ୟାଚକୁ ପଦୋନ୍ନତି ନ କରି ୨୦୦୮ ବ୍ୟାଚକୁ ପଦୋନ୍ନତି କରାଯାଇଛି । ଏହାର ଉଚିତ ତଦନ୍ତ କରି ପାତରଅନ୍ତର କରି ପଦୋନ୍ନତି କରିଥିବା ସଂପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଗୋଟିଏ ସ୍ଥାନରେ ୨୦ରୁ ୨୫ ବର୍ଷ ରହିଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କୁ ବଦଳି କରିବା ଆଦି ଦାବି କରିଛି ସଂଘ ।
ଆସନ୍ତା ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଦାବି ପୂରଣ ନ ହେଲେ ଏହାର ଆଗାମୀ ୨ଦିନ ପରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ସମୟରେ ଉପସଭାପତି କମଲେଶ ସିଂ ଠାକୁର, ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ, ଗଣେଶ ମାଝି, ନରୋତମ ମାଝି, ମାହେଶ୍ୱରୀ ମାଝି, ରେଖା ମାଝି, ପ୍ରମୋଦ କୁମାର ସାହୁ, ଗୋମତି ଦଲ, ତରୁଣି ଦଲ, ସତ୍ୟବତି ଜାଲ, ଉଦିତ ଦଲ, ଝସକେତନ ଦଲ, ପ୍ରଣିତା ଦଲ, ବିଶ୍ବଜିତ ଦଲ, ସୁରେନ୍ଦ୍ର ସିଂ ମାଝି, ଦେବୀ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।