ଇସ୍ରୋ ଚେୟାରମ୍ୟାନ୍ ଡ଼ଃ ସୋମନାଥ ଚନ୍ଦ୍ରଯାନ ୩ ଟ୍ରାଅମ୍ଫ କାର୍ଯ୍ୟକ୍ରମରେ କୋଟପାଡ଼ର ଅମୁଜୁରୀ ବିଶ୍ୱନାଥଙ୍କ ଉକୃଷ୍ଟ କାର୍ଯ୍ୟକୁ ପ୍ରଶଂସା

କୋରାପୁଟ, ୧୮/୧୧ (ସୁନୀଲ କୁମାର ଦାଶ) : ଦେଶର ଏକାଦଶ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସହଯୋଗରେ ଡକ୍ଟର ଏପିଜେ ଅବଦୁଲ କଲାମ ଇଂଟରନ୍ୟାସନାଲ ଫାଉଣ୍ଡେସନ ହାଉସ ଅଫ୍ କାଲାମ ଦ୍ୱାରା “ଚନ୍ଦ୍ରୟାନ ୩ ଟ୍ରାଅମ୍ଫ : ପ୍ରେରଣାଦାୟକ ଉଜ୍ଜ୍ୱଳ ମନ” କାର୍ଯ୍ୟକ୍ରମ ତାମିଲନାଡୁର ରମେଶ୍ୱରମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ରୋ ଚେୟାରମ୍ୟାନ୍ ଡକ୍ଟର ଏସ୍ ସୋମନାଥ ଏବଂ ବିଶିଷ୍ଟ ଅତିଥି ଇସ୍ରୋ ୟୁଆର୍ ରାଓ ସାଟେଲାଇଟ୍ ସେଂଟରର ପୂର୍ବତନ ଡେପୁଟି ଡାଇରେକ୍ଟର ଡକ୍ଟର ଭେଙ୍କଟେଶ୍ୱର ଶର୍ମା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟର ଉପାନ୍ତ ଅଂଚଳ କୋଟପାଡ଼ର ଯୁବ ବୈଜ୍ଞାନିକ ତଥା ଶିକ୍ଷାବିତ୍ ଅମୁଜୁରୀ ବିଶ୍ୱନାଥ ଅଂଶଗ୍ରହଣ କରି ଇସ୍ରୋ ଚେୟାରମ୍ୟାନ୍ ଡ଼ଃ ଏସ୍ ସୋମନାଥଙ୍କ ସହ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ବିକାଶ ତଥା କାର୍ଯ୍ୟକଳାପକୁ ଆଲୋଚନା କରିଥିଲେ । ବର୍ତମାନ ଡ଼ଃ ଏପିଜେ ଅବଦୁଲ କଲାମ ଇଂଟରନ୍ୟାସନାଲ ଫାଉଣ୍ଡେସନର ଛତିଶଗଡ ଏବଂ ଓଡିଶା ଚାପ୍ଟରର ରାଜ୍ୟ ସଂଯୋଜକ ଭାବେ ଅମୁଜୁରୀ ବିଶ୍ୱନାଥ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ରାଜ୍ୟର ଛାତ୍ରମାନଙ୍କ ଦ୍ୱାରା ବିଜ୍ଞାନ-ପ୍ରଯୁକ୍ତିବିଦ୍ୟା-ଇଞ୍ଜିନିୟରିଂ-ଗଣିତ (ଷ୍ଟେମ୍) ଇନୋଭେସନ୍ ପ୍ରୋଜେକ୍ଟ ପ୍ରଦର୍ଶନୀ ପ୍ରସ୍ତୁତ କରାଯାଇଥିଲା ଏବଂ ଡ଼ଃ କଲାମ ମୋବାଇଲ୍ ସାଇନ୍ସ ଲାବୋରେଟୋରୀ ଶୁଭାରମ୍ଭ କରାଗଲା । ଡକ୍ଟର ଏପିଜେ ଅବଦୁଲ କଲାମ ସାଟେଲାଇଟ୍ ଲଂଚ୍ ଭେଇକିଲ ମିଶନ ୨୦୨୩ରେ ୧୫୦ ପିକୋ ଉପଗ୍ରହ ଉତକ୍ଷେପଣ ପାଇଁ ବିଶ୍ୱ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରାଯାଇଛି, ଯେଉଁଥିରେ କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ୫ଜଣ ବିଦ୍ୟାର୍ଥୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫ଜଣ ବିଦ୍ୟାର୍ଥୀ ଏବଂ ଛତିଶଗଡ଼ ଦନ୍ତୱାଡାର ୬୫ଜଣ ବିଦ୍ୟାର୍ଥୀ ସହ ଅମୁଜୁରୀ ବିଶ୍ୱନାଥଙ୍କ ନାମ (ମୋଟ ୭୬ଜଣଙ୍କ) ରେକର୍ଡ ହୋଇଛି ।
ଛତିଶଗଡ ଏବଂ ଓଡିଶା ଚାପ୍ଟର ରାଜ୍ୟ ସଂଯୋଜକ ଅମୁଜୁରୀ ବିଶ୍ୱନାଥଙ୍କୁ ଇସ୍ରୋ ଚେୟାରମ୍ୟାନ୍ ଡକ୍ଟର ଏସ୍ ସୋମନାଥ ଏବଂ ଡକ୍ଟର କଲାମଙ୍କ ନାତି ତଥା ସଂଗଠନର ସହ-ପ୍ରତିଷ୍ଠାତା ଏପିଜେଏମଜେ ଶେଖ ସଲିମ ବିଶ୍ୱ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରିବା ସହ ତାଙ୍କର ଉକୃଷ୍ଟ କାର୍ଯ୍ୟକୁ ପ୍ରଶଂସା କରି ସାଲ୍, ପ୍ରମାଣପତ୍ର ଏବଂ ଡକ୍ଟର କଲାମ ଚଳଚ୍ଚିତ୍ର ଦେଇ ସମ୍ମାନିତ କରିଛନ୍ତି । ଏହି ସମୟରେ ଅମୁଜୁରୀ ବିଶ୍ୱନାଥ ତାଙ୍କର ଆତ୍ମ-ଲିଖିତ କବିତା “କଲାମ କୋ କିଯିୟେ ଭବ୍ୟ ସଲାମ” ପ୍ରଦର୍ଶନ କରିଥିଲେ ଏବଂ ଏହାକୁ ଡକ୍ଟର କଲାମଙ୍କୁ ଉତ୍ସର୍ଗ କରିଥିଲେ ।
ଏହି ଅବସରରେ ଯୁବ ବୈଜ୍ଞାନିକ ତଥା ଶିକ୍ଷାବିତ୍ ଅମୁଜୁରୀ ବିଶ୍ୱନାଥ କହିଛନ୍ତି ଯେ ମହାକାଶ ଅନୁସନ୍ଧାନ ଏବଂ ଶିକ୍ଷା କ୍ଷେତ୍ରରେ ଯୁବ ଆକାଂକ୍ଷାକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦେଇ ସେ ଦେଶର ପ୍ରତ୍ୟେକ କୋଣକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ପ୍ରେରଣା ଦେବା ଆଶାରେ ସହଯୋଗ କରିବେ । ଇସ୍ରୋ ଚେୟାରମ୍ୟାନ୍ ଡକ୍ଟର ଏସ୍ ସୋମନାଥ ଚନ୍ଦ୍ରଯାନ ୩ ର ସଫଳତାକୁ ନେଇ ଗର୍ବ ଅନୁଭବ କରିଥିଲେ ଏବଂ ଭାରତୀୟ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ ତଥା ପରିଶ୍ରମକୁ ପ୍ରଶଂସା କରିଥିଲେ । ୨୦୪୭ ସୁଦ୍ଧା ଚନ୍ଦ୍ରଯାନ ଆହୁରି ସଫଳତା ହାସଲ କରିବ ଏବଂ ଚନ୍ଦ୍ରଯାନ ୧୦ରେ ମାନବ ଜଣଙ୍କୁ ମହାକାଶରେ ରକେଟ୍ ଦ୍ୱାରା ଅବତରଣ କରିବେ ବୋଲି ସେ କହିଥିଲେ । ସେଥିପାଇଁ ଭାରତ ସରକାର ମହାକାଶ କ୍ଷେତ୍ରର ମଂଚ ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ଏହାର ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିବ ଏବଂ ଭାରତ ଆଗକୁ ବିଶ୍ୱ ଦରବାରରେ ଅଗ୍ର ସ୍ଥାନ ପାଇବ ବୋଲି ଉପସ୍ଥିତ ଅତିଥି ମତ ପ୍ରକାଶ କରିଥିଲେ ।