ମିଶନ୍ ଶକ୍ତି ସ୍କୁଟର ଯୋଜନାରେ ସ୍କୁଟି ମିଳିବା ପୂର୍ବରୁ କଟିଲାଣି କିସ୍ତି

ଗଞ୍ଜାମ, ୧୮/୧୧ (ବାପୁନି କୁମାର ମାଲୁ) : ସ୍କୁଟି ନ ମିଳୁଣୁ ବ୍ୟାଙ୍କରୁ କଟିଲାଣି ସ୍କୁଟି କିସ୍ତି ଟଙ୍କା । ଯାହାକୁ ନେଇ ମିଶନ ଶକ୍ତି କାର୍ଯ୍ୟାଳୟରେ ଅଭିଯୋଗ କଲେ ହିତାଧିକାରୀ । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯାଉଛି । ତେବେ ଏହି ଯୋଜନାରେ ଏବେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ହିତାଧିକାରୀଙ୍କୁ ସ୍କୁଟି ମିଳିବା ପୂର୍ବରୁ ବ୍ୟାଙ୍କ ଖାତାରୁ କିସ୍ତି ଟଙ୍କା କଟି ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ମିଶନ ଶକ୍ତି ସ୍କୁଟି ଯୋଜନାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବ୍ଲକର ମର୍ଦ୍ଦକୋଟ ଗ୍ରାମର ଅନୀତା ବେହେରାଙ୍କୁ ସ୍କୁଟି ଯୋଗାଇ ଦିଆଯିବା ନେଇ ବେଗୁନିଆପଡ଼ା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇଛି । ତେବେ ଋଣ ମଞ୍ଜୁରୀକୁ ୨ ମାସ ବିତିଯାଇଥିଲେ ମଧ୍ୟ ଏଯାବତ୍ ସେ ସ୍କୁଟି ପାଇ ନାହାଁନ୍ତି । ସେପଟେ ବ୍ୟାଙ୍କରୁ କିସ୍ତି ଟଙ୍କା କଟି ଯାଉଥିବାରୁ ଏ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏହି ଘଟଣା ପରେ ଏବେ ବିଭିନ୍ନ ପଂଚାୟତରୁ ଏଭଳି ଅଭିଯୋଗ ଆସିଛି । ନିର୍ଦ୍ଧିଷ୍ଟ କମ୍ପାନୀକୁ ଏହି ସ୍କୁଟି ଯୋଗାଇବା ପାଇଁ କୁହାଯାଇଛି । ସ୍କୁଟି ଯୋଗାଉଥିବା ସୋ ରୁମ୍ ଗୁଡିକ ସ୍କୁଟି ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବାରୁ ମହିଳାମାନେ ସ୍କୁଟି ନ ପାଇ କେବଳ ଋଣ ଟଙ୍କା ପରିଶୋଧ କରୁଥିବା କହିଛନ୍ତି । ଏ ନେଇ ବେଗୁନିଆପଡ଼ା ବ୍ଳକ ମିଶନ ଶକ୍ତି ପ୍ରୋଜେକ୍ଟ କୋଡିନେଟର ଦିଲ୍ଲିପ କୁମାର ବେହେରାଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ୱୀକାର କରିଥିବା ବେଳେ ସଂପୃକ୍ତ ସୋ ରୁମ୍କୁ ତାଗିଦ୍ କରାଯାଇଥିବା କହିଛନ୍ତି ।
ଅପରପକ୍ଷେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଯେ ଏଭଳି ଅନେକ ଅଭିଯୋଗ ଆସୁଛି । ଯେହେତୁ ହିତାଧିକାରୀଙ୍କ ନାମରେ ଋଣ ପ୍ରଦାନ ହୋଇଛି, ତେଣୁ ପ୍ରତି ମାସରେ କିସ୍ତି ଟଙ୍କା କଟିବ । ସୂଚନା ଅନୁସାରେ ବେଗୁନିଆପଡ଼ା ବ୍ଳକରେ ମୋଟ ୩୧୩ ଜଣ ମହିଳା ହିତାଧିକାରୀ ସ୍କୁଟି ନେବା ପାଇଁ ଦରଖାସ୍ତ କରିଥିବା ବେଳେ ଏଯାବତ୍ ୬୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ସ୍କୁଟି ପାଇଛନ୍ତି । ଅନ୍ୟ ହିତାଧିକାରୀ ବାରମ୍ବାର ମିଶନ୍ ଶକ୍ତି କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଛନ୍ତି । ଫଳରେ ସରକାରଙ୍କ ମିଶନ୍ ଶକ୍ତି ସ୍କୁଟି ଯୋଜନାର ଅବ୍ୟବସ୍ଥାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି ମହିଳା ।