ପ୍ରାଣୀ ସମ୍ପଦର ବିକାଶ ରାଜ୍ୟର ଆର୍ଥିକ ସମ୍ବଳ ଅଭିବୃଦ୍ଧିରେ ସହାୟକ

ଜଗତସିଂହପୁର, ୧୭/୧୧ (ରୀତା ସାହୁ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ସରକାରୀ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ଦିଗରେ ଆଲୋକପାତ କରିଥିଲେ । ନଭେମ୍ବର ୧୬ ଓ ୧୭ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରରେ ପଲ୍ଲୀଶ୍ରୀ ମେଳା, ଉନ୍ନତ ଜୀବନ୍ତ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ, ପ୍ରାଣୀ ସମ୍ପଦର ବିକାଶ ଦିଗରେ ଚାଷୀମାନଙ୍କୁ ନେଇ ଆଲୋଚନା ଚକ୍ର ଆଦି ଅନୁଷ୍ଠିତ ହୋଇଯାଇଛି ।