ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେବ ରୋପ୍ ୱେ ବ୍ୟବସ୍ଥା

ବାରଙ୍ଗ, ୧୭/୧୧: ପୁଣି ରୋପ୍ ୱେର ମଜା ନେବେ ପର୍ଯ୍ୟଟକ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶୁକ୍ରବାର ନନ୍ଦନକାନନ ନୂତନ ରୋପ୍ ୱେର ଉଦଘାଟନ ହେବାକୁ ଯାଉଛି । ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଶନିବାରଠାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ । ପୂର୍ବରୁ ନନ୍ଦନକାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା । ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା । ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି ।
ରୋପ୍ ୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପ୍ ୱେଜ୍ ଇନ୍ଫ୍ରା ଲିମିଟେଡ୍ ସହିତ ଅକ୍ଟୋବର ୨୦୨୧ରେ ନନ୍ଦନକାନନ କର୍ତୃର୍ୃପକ୍ଷ ଚୁକ୍ତିନାମା କରିଥିଲେ । ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ସରିବା ପରେ ଜୁନ ୧୩ରେ ରୋପ୍ ୱେ ଭିସିବି ୟୁନିଟ୍ ପରୀକ୍ଷାବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୩ ଜଣ ଗୁରୁତର ଆହତ ହୋଇଥିଲେ । ସେହିଦିନଠାରୁ ରୋପ୍ ୱେ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଥିଲା ।
ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ । ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ । ତେବେ ରୋପ୍ ୱେ ଚଳାଚଳ ସମୟରେ କୌଣସି ଦୁର୍ଘଟଣା ଘଟିଲେ କିପରି ଏଥିରୁ ମୁକାବିଲା କରାଯିବ, ସେ ନେଇ ୬ ତାରିଖରେ ନନ୍ଦନକାନନ କର୍ତୃପକ୍ଷଙ୍କ ଉପସ୍ଥିତିରେ ମକଡ୍ରିଲ କରାଯାଇଥିଲା । ଏହାପରେ ଉକ୍ତ ସଂସ୍ଥାକୁ ରୋପ୍ୱେ ଚଳାଚଳ ପାଇଁ ନନ୍ଦନକାନନ ପକ୍ଷରୁ ସ୍ୱୀକୃତି ମିଳିଛି । ୧୩ କୋଟିରୁ ଉଦ୍ଧ୍ୱର୍ ବୟ ଅଟକଳରେ ନନ୍ଦନକାନନ ଓ ରାଜଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ୬୦୦ ମିଟର ଲମ୍ବର ରୋପ୍ ୱେ ନିର୍ମାଣ କରାଯାଇଛି । ଏଥିରେ ସମୁଦାୟ ୧୨ଟି କ୍ୟାବିନ ବ୍ୟବସ୍ଥା ହୋଇଛି । ଯେଉଁଥିରେ ୭୨ ଜଣ ପର୍ଯ୍ୟଟକ ବସିପାରିବେ ।
ଏହି ରୋପ୍ ୱେ ନନ୍ଦନକାନନରୁ ବାହାରି କାଞ୍ଜିଆ ହ୍ରଦ ଉପର ଦେଇ ଯିବ । ଏଥିପାଇଁ ଟିକେଟ ମୂଲ୍ୟ ୧୨୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାସହ ନନ୍ଦନକାନନ ପଟରୁ ରୋପ୍ ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ଓ ବଟାନିକାର୍ଲ ଗାର୍ଡେନ ପଟେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ପର୍ଯ୍ୟଟକଙ୍କୁ ଉଭୟ ପାର୍ଶ୍ୱର ପ୍ରବେଶ ମୂଲ୍ୟ ଅଧିକ ଦେବାକୁ ପଡ଼ିବ । ଯଦି ବଟାନିକାର୍ଲ ଗାର୍ଡେନ ପଟୁ ରୋପ୍ ୱେରେ ବସି ନନ୍ଦନକାନନ ପଟେ ଓହ୍ଲାଇବେ, ସେଥିପାଇଁ ୩-୧୨ ବର୍ଷର ପିଲାଙ୍କ ପାଇଁ ୧୦ ଟଙ୍କା, ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ୫୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ପ୍ରବେଶ ମୂଲ୍ୟ ଦେବାକୁ ପଡ଼ିବ । ସେହିପରି ନନ୍ଦନକାନନ ପଟୁ ରୋପ୍ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ୧୨ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ପ୍ରବେଶ ମୂଲ୍ୟ ଦେବାକୁ ପଡୁ ନ ଥିବାବେଳେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ପିଲାଙ୍କ ପାଇଁ ଅଧିକ ୨୦ ଟଙ୍କା ଦେବାକୁ ପଡ଼ିବ । ଏଥିନିମନ୍ତେ ରୋପ୍ୱେ କାଉଂଟର ପାଖରେ ଥିବା ସ୍ୱତନ୍ତ୍ର କାଉଂଟରରେ ପର୍ଯ୍ୟଟକଙ୍କ ପାଇଁ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିକେଟ କାଟିବା ସୁବିଧା କରାଯାଇଛି ବୋଲି ଉପନିଦେ୍ର୍ଦଶକ ସନଥ କୁମାର ଏନ୍ ସୂଚନା ଦେଇଛନ୍ତି ।