ସମାଜରେ ହିଂସା ,ଦ୍ୱେଷ, ସ୍ୱାର୍ଥପରତାରୁ ଦୂରେଇ ରହିଲେ ଭଲ ମଣିଷ ହୋଇପାରିବ…

ଭୁବନେଶ୍ୱର, ୧୫ ନଭେମ୍ବର : ପୁରପଲ୍ଲୀରୁ ଆରମ୍ଭ କରି ସହର ଯାଏଁ ଭାରତ ବର୍ଷରେ ସର୍ବତ୍ର ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ଟ୍ରଷ୍ଟ ତରଫରୁ ସ୍ଥାନୀୟ କୋଏଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୟୁପି ସ୍କୁଲରେ କୋମଳମତି ଶିଶୁମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
ଆଜିର ଶିଶୁ କାଲିର ଭବିଷ୍ୟତ । ଏହି ଉକ୍ତିକୁ ନେଇ ଛୋଟ ଛୋଟ ଶିଶୁମାନଙ୍କ ସହ ବେଶ୍ କିଛି ସମୟ କାଟିଥିଲେ ସମାଜସେବୀ । ଭଲ ପାଠ ପଢି କେମିତି ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିବେ ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ବର୍ଷ ତମାମ ହାପି ମୋମେଂଟ ଇଣ୍ଡିଆ ଟ୍ରଷ୍ଟ ତରଫରୁ ଶିଶୁମାନଙ୍କ ପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ, ପାଠ୍ୟ ଉପକରଣ ବଂଟନ, ପୋଷାକ ବଂଟନ, ବିଭିନ୍ନ ପ୍ରତିଯୋଗିତା ଏବଂ ଆର୍ଥିକ ସାହାଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ଟ୍ରସଟି ରାଜେନ୍ଦ୍ର ପଣ୍ଡା ବର୍ତମାନ ସମାଜରେ ଚାଲିଥିବା ହିଂସା ,ଦ୍ୱେଷ, ସ୍ୱାର୍ଥପରତା, କାତରତାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଏଥିରୁ ନିବୃତ ରହିବା ପାଇଁ ପ୍ରେରଣା ଦେଇଥିଲେ । ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଜୀବନ ସର୍ବଶ୍ରେଷ୍ଠ । ନିଜ ପରିବାରର ଦାୟିତ୍ୱ ସହ ଦେଶ ମାତୃକାର ସେବା ତଥା ସମାଜ ସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ହାପି ମୋମେଂଟ ଇଣ୍ଡିଆ ତରଫରୁ କୋୟଲ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳନ ଅବସରରେ ଅନୁଷ୍ଠାନର ଟ୍ରସଟି ରାଜେନ୍ଦ୍ର ପଣ୍ଡା, ଦିବାକର ଦାସ, ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ