ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ସହ ଧାରଣା ଦେଲେ କ୍ୟାପଟେନ୍ ମନ୍ମଥ ରାଉତରାୟ…

ଜଟଣୀ : ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ପାଇଁ ନୁହେଁ ନିର୍ବାଚନ କାମରେ ବ୍ୟସ୍ତ ସରକାରୀ ବାବୁ । ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଲାଗି ନାଗରିକ କମିଟି ତରଫରୁ ବିଗତ ଜୁନ ୨୬ ତାରିଖରେ ଜଟଣୀ ପୌର ପରିଷଦ ଅଧୀନରେ ବସବାସ କରୁଥିବା ରେଳବାଇ ଅଞ୍ଚଳର ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିଲା । ସେହି ସମୟରେ ତହସିଲଦାର ମହୋଦୟ ଆସନ୍ତା ଦୁଇ ମାସ ମଧ୍ୟରେ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାରି ଭିତରେ ବିତିଗଲାଣି ୬ ମାସରୁ ଉର୍ଦ୍ଧ୍ବ ସମୟ । ହେଲେ ପ୍ରତିଶ୍ରୁତି କେବେଳ ପ୍ରତିଶ୍ରୁତିରେ ରହିଯାଇଛି । ବର୍ତ୍ତମାନ ରେଳବାଇ ପ୍ରଶାସନ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ବାରମ୍ବାର ନୋଟିସ ପଠାଉଥିବାବେଳେ ସେମାନେ କୁଆଡେ ଯିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଏ ନେଇ ଜଟଣୀ ନାଗରିକ କମିଟି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଯଦି ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କ ଦାବି ସରକାର ପୂରଣ ନ କରିବେ ତେବେ ଅନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ନାଗରିକ କମିଟି ସଭାପତି କ୍ୟାପଟେନ୍ ମନ୍ମଥ ରାଉତରାୟ କହିଛନ୍ତି ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ