ଦହନଶୀଳ ପଦାର୍ଥ ନେଇ କରିପାରିବେନି ରେଳ ଯାତ୍ରା, ଲାଗିଲା କଟକଣା…

ଜଟଣୀ : ଦିପାବଳୀରେ ଆତସବାଜି, ଫୋଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଦହନଶୀଳ ପଦାର୍ଥ ପରିବହନ ଉପରେ କଡା ସଜାଗ ରହିବାକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଉଛି । ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳବାଇ ଅଧିକାରୀଙ୍କଦ୍ଵାରା ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ବିସ୍ଫୋରକ ସାମଗ୍ରୀର କଡାକଡି ଯାଞ୍ଚ କରାଯାଉଛି । ଏହାସହ ଟ୍ରେନ୍ ଏବଂ ଷ୍ଟେସନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଲବ୍ଧତା ମଧ୍ୟ ସୁନିଶ୍ଚିତ କରାଯାଉଛି । ପାୱାର କାର, ପ୍ୟାଣ୍ଟ୍ରି କାର ଏବଂ କୋଚରେ ପ୍ରଦତ୍ତ ଧୂଆଁ ଏବଂ ଅଗ୍ନି ଚିହ୍ନଟ ଆଲାର୍ମ ସିଷ୍ଟମର କାର୍ଯ୍ୟକାରିତା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

ଟ୍ରେନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର କାର୍ଯ୍ୟକାରୀ ବିଷୟରେ ପରାମର୍ଶ ଦିଆଯାଉଛି । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ୍ ମଣ୍ଡଳ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛି । ଏଥିରେ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରି ବିସ୍ଫୋରକ ଜିନିଷ ସାଙ୍ଗରେ ପରିବହନ ନ କରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ସାମଗ୍ରୀ ଟ୍ରେନରେ ବହନ ନ କରିବାକୁ ପରାମର୍ଶ ଦିଆଯାଉଛି । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଦହନଶୀଳ ପଦାର୍ଥ ବିଷୟରେ ଜଣାଇବାକୁ ହେଲେ, ହେଲ୍ପ ଲାଇନ୍ ନମ୍ବର ୧୩୯ ଜାରି ହୋଇଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜୱା, ଟ୍ରେନ୍ ଏବଂ ଷ୍ଟେସନରେ ଜ୍ୱଳନ୍ତ ସାମଗ୍ରୀ ବହନ ନକରିବା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ