“ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ…

ଜଗତସିଂହପୁର : ଜଗତସିଂହପୁର ସାନବଜାରରେ “ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ ହୋଇଯାଇଛି । SHG ମହିଳାମାନଙ୍କ ଦ୍ୱାରା ଏହି ଟେରାକୋଟା ଷ୍ଟଲକୁ ଜିଲ୍ଲାପାଳ ପାରୁଲ ପଟୱାରୀ ଉଦଘାଟନ କରିବା ସହିତ ଟେରାକୋଟା କାର୍ଯ୍ୟର ଚମତ୍କାରିତାକୁ ଦେଖି ଭୂୟଂସୀ ପ୍ରଶଂସା କରିଛନ୍ତି । ଓରମାସ ପକ୍ଷରୁ କୁଜଙ୍ଗ ବ୍ଳକ ଫତେପୁର ଗ୍ରାମର ଜୀବନଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଟେରାକୋଟା ସାମଗ୍ରୀ ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରେ ଏହାକୁ ବିକ୍ରୟ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଆଗକୁ ଆସୁଛି ଦୀପାବଳି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଫୁଲ ଦୀପ, ଝଡ ଦୀପ, ଗଛ ଦୀପ, କଣ୍ଢେଇ ଦୀପ ଭଳି ଅନେକ ପ୍ରକାର ଦୀପ ରହିଛି । ଏହା ସହିତ ଟେରାକୋଟାର ବିଭିନ୍ନ ସାମଗ୍ରୀ ମଧ୍ୟ ଷ୍ଟଲରେ ରଖାଯାଇଥିବାବେଳେ ଗ୍ରାହକଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଏକ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦୀପ ଏଠାରେ ଉପଲବ୍ଧ ରହିଛି । ତେବେ ପୂର୍ବ ବର୍ଷ ଭଳି ମଧ୍ୟ ଚଲିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଶା ରଖିଥିବା କହିଛନ୍ତି ।
କୁଜଙ୍ଗ ଅଞ୍ଚଳର ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କେବଳ ଦୀପ ନୁହେଁ, ଟେରାକୋଟାର ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ