ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ଜାରି ହେଲା ଶ୍ରମିକ ସହାୟତା ନମ୍ବର…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ଗଡିଲା ସଚେତନତା ରଥ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଛନ୍ତି । ଗଜପତି ଜିଲ୍ଲାର ସାତ ଗୋଟି ବ୍ଲକ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ ଅନ୍ତଃ ରାଜ୍ୟ ଶ୍ରମିକ ଆଇନ ଅନୁସାରେ ଥିବା ସୁବିଧା ସୁଯୋଗ ସହ ପ୍ରବାସୀ ଶ୍ରମିକଙ୍କର ଅଧିକାର ବିଷୟରେ ପ୍ରଚାର ଓ ପ୍ରସାର କରାଯିବ ।
ପ୍ରବାସୀ ଶ୍ରମିକମାନେ ଶୋଷଣର ଶିକାର ହେଲେ ଜିଲ୍ଲାର କାହା ସହିତ ଯୋଗାଯୋଗ କରିବେ ଏବଂ ଠିକାଦାର ସେମାନଙ୍କୁ କଣ କଣ ସୁବିଧା ଦେବେ ତାହା ପ୍ରବାସୀ ଶ୍ରମିକମାନଙ୍କ ପାଖରେ ପହଞ୍ଚାଇବା ଏହି ରଥର ମୁଖ୍ୟ ଲକ୍ଷ୍ୟ । ପ୍ରତ୍ୟେକ ଶ୍ରମିକଙ୍କୁ ଠିକାଦାର ଗୋଟିଏ ପରିଚୟ ପତ୍ର ଦେବା ଆବଶ୍ୟକ ଓ ଶ୍ରମିକ ନେବା ନିମନ୍ତେ ଠିକାଦାର ଗୋଟିଏ ଅନୁମତି ପତ୍ର ଥିବା ନିହାତି ଆବଶ୍ୟକ । ପ୍ରବାସୀ ଶ୍ରମିକମାନଙ୍କର ୬-୧୪ ବର୍ଷ ମଧ୍ୟରେ ସ୍କୁଲ ଯାଉଥିବା ପିଲାମାନଙ୍କର ପାଠପଢାର ସୁବ୍ୟବସ୍ଥା ନିମନ୍ତେ ଋତୁକାଳୀନ ଛାତ୍ରାବାସର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଶ୍ରମିକ ନିଜ କାମ ନିମନ୍ତେ କେଉଁ ସ୍ଥାନକୁ କେତେ ଦିନ ପାଇଁ ଯିବେ ଏବଂ ଠିକାଦାରଙ୍କଦ୍ଵାରା କିମ୍ବା ସ୍ଵଇଚ୍ଛାରେ ଯାଉଥିଲେ ଏ ସମ୍ବନ୍ଧୀୟ ସୂଚନା ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି । ମହିଳା କିମ୍ବା ପୁରୁଷ ଶ୍ରମିକଙ୍କୁ ସମାନ କାମ ପାଇଁ ସମାନ ମଜୁରୀ ଓ ସର୍ବନିମ୍ନ ମଞ୍ଜୁରୀ ଦିଆଯିବାର ବ୍ୟବସ୍ଥା ରହିଛି । ଶୋଷଣର ଶିକାର ହେଲେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ରାଜ୍ୟର ଶ୍ରମ ଅଧିକାରୀ କିମ୍ବା ନିଜ ଜିଲ୍ଲାର ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ଶ୍ରମିକର କାର୍ଯ୍ୟ କ୍ଷେତ୍ରରେ ଦୁର୍ଘଟଣାଜନିତ ଆଘାତ କିମ୍ବା ରୋଗ ହେତୁ ମୃତ୍ୟୁ ହେଲେ ତାଙ୍କର ସମ୍ପର୍କୀୟମାନେ ନିଶ୍ଚିତ କ୍ଷତି ପୂରଣ ପାଇବେ । ଶ୍ରମିକର ଦେହ ଅସୁସ୍ଥ କିମ୍ବା ଦୁର୍ଘଟଣା ହେଲେ ଠିକାଦାର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ । ନିଜ ଶିଶୁକୁ ଖୁଆଇବା ପାଇଁ ଜଣେ ମହିଳା ଶ୍ରମିକଙ୍କୁ ଦିନକୁ ଦୁଇଥର ସମୟ ଦିଆଯିବ । ଯଦି କୌଣସି ଶ୍ରମିକ ରାଜ୍ୟ ଭିତରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଶ୍ରମିକ ସହାୟତା ନମ୍ବର ୧୫୫୩୬୮ରେ ଯୋଗଯୋଗ କରିପାରିବେ ଓ ରାଜ୍ୟ ବାହାରେ ଥିବା ଶ୍ରମିକମାନେ ୧୮୦୦୩୪୫୬୭୦୩ ରେ ଯୋଗଯୋଗ କରିପାରିବେ ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଗ୍ରାମୀଣ ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା