ପାର୍କର ଉନ୍ନତି ନାମରେ ଦୁର୍ନୀତି ଅଭିଯୋଗ !

ଜଟଣୀ : କୁଆଡେ ଗଲା ସୁଖ ଶାନ୍ତି ପାର୍କ । ଶାସକ ଦଳର ପୌର ପ୍ରଶାସନର କଳା ଚାଦର ତଳେ ଲୁଚି ଗଲା କି ସୁଖ-ଶାନ୍ତି ପାର୍କ ? ଏ ପ୍ରଶ୍ନ ପଚାରିଛନ୍ତି ଜଟଣୀର ବୁଦ୍ଧିଜୀବୀ । ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ପୁନରୁଦ୍ଧାର ହୋଇଛି ସୁଖ-ଶାନ୍ତି ପାର୍କ । ହେଲେ ସୁଖ-ଶାନ୍ତି ପାର୍କ ଏବେ ବିଜୁ ପଟ୍ଟନାୟକ ପାର୍କ ନାମରେ ନାମିତ ହୋଇଛି । ଆଉ ଏହି ନାମକରଣ କରିଛନ୍ତି ଖୋଦ୍ ଜଟଣୀ ପୌର ଅଧ୍ୟକ୍ଷ ଅନନ୍ତ ବେହେରା । ଶାସକ ଦଳର ନେତାଙ୍କୁ ଖୁସି କରାଇବାର ମନ୍ଦ ଉଦ୍ଦେଶ୍ୟ ତଥା ଦୁର୍ନୀତି ପ୍ରରୋଚନାରେ ଏହି ନାମକରଣ ହୋଇଥିବା ଅଭିଯୋଗ ଆଣିଛନ୍ତି ଜଟଣୀବାସୀ । ଗତ ଅକ୍ଟୋବର ୪ ତାରିଖରେ ଜଣେ ଦିବ୍ୟାଙ୍ଗ ଭଉଣୀଙ୍କ କରକମଳରେ ଏହାର ଶୁଭ ଉଦଘାଟନ ହୋଇଥିଲା । ତେବେ ଗୋଟିଏ ସ୍ଥାନରେ ନିର୍ମିତ ଏହି ପାର୍କର ଦୁଇ ଦୁଇଟା ନାମକରଣକୁ ନେଇ ଏବେ ଦ୍ୱନ୍ଦରେ ଜଟଣୀବାସୀ ।
ତଥ୍ୟ ଅନୁସାରେ, ପୂର୍ବରୁ ସୁଖ-ଶାନ୍ତି ପାର୍କ ନାମରେ ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଆଉ ଏବେ ସେହି ପାର୍କର ନାମ ବଦଳାଇ ୧ କୋଟିର ବ୍ୟୟ ବରାଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଟଣୀର ବୁଦ୍ଧିଜୀବୀ । ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ପାର୍କ ଉଦଘାଟନ କରାଯାଇଥିବାବେଳେ ଜଟଣୀ ପୌର ପ୍ରଶାସନର ଦୁର୍ନୀତି ଉପରେ କିଏ ଅଙ୍କୁଶ ଲଗାଇବ ତାକୁ ନେଇ ପ୍ରଶ୍ନ କରିଛନ୍ତି ଜଟଣୀ ବିଧାୟକଙ୍କ ପଲିଟିକାଲ ସେକ୍ରେଟାରୀ କଳିଙ୍ଗ କୁମାର ସାହୁ । ଏହା ସହ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ଅଂଚଳବାସୀ ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ