ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆସନ୍ତକାଲି ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି ରଘୁବର ଦାସ ।
ଆଜି ଟାଟାନଗରରୁ ପୁରୁଷୋତ୍ତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଥିଲେ ରଘୁବର ଦାସ । ପୁରୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।