ଦଶହରାରେ ଘୋଡ଼ା ଆରୋହଣ କରି ବୁଲନ୍ତି ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଉଲି ମାଁ…

କୋଟପାଡ଼ : ରୀତିନୀତି ଅନୁଯାୟୀ ପୂଜା ପାଉଛନ୍ତି କୋଟପାଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲି । କୋଟପାଡ଼ରେ ରାଜାରାଜୁଡା ସମୟରୁ ସ୍ଥାପିତ ହୋଇ ରହିଛି ପ୍ରତ୍ୟେକ୍ଷ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲିଙ୍କ ଶକ୍ତିପୀଠ । ବିଶେଷ କରି ଦଶହରା ସମୟରେ ଏହି ପୀଠରେ ଦୂର ଦୁରାନ୍ତରରୁ ହୋଇଥାଏ ଭକ୍ତଙ୍କ ସମାଗମ l ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି କରୁଣାମୟୀ ମାଉଲି ମାଁ l କେଉଁ ଆବାହନ କାଳରୁ ପାରମ୍ପରିକ ଵିଧିବିଧାନ ଅନୁସାରେ ଆଡମ୍ବର ସହକାରେ ପାଳିତ ହୋଇଥାଏ ମାଉଲି ମାଁଙ୍କ ଦଶହରା ପର୍ବ l ଚଳିତ ବର୍ଷ ମାଁଙ୍କ ଆଜ୍ଞାମାଳ ମିଳିବା ପରେ ନବରାତ୍ରିରୁ ପ୍ରାରମ୍ଭ ହୋଇଛି ମାଁଙ୍କ ଶାରଦୀୟ ପାର୍ବଣ l ନଅ ଦିନ ଧରି ପାରମ୍ପରିକ ବାଦ୍ୟ ଏବଂ ପଟୁଆର ନାଚ ସହ ଭକ୍ତଙ୍କୁ ସାଥିରେ ନେଇ ଘୋଡ଼ା ଆରୋହଣ କରି ସନ୍ଧ୍ୟା ସମୟରେ ମାଁ ନିଜ ପୀଠ ଛାଡି ନିଜ ଭଉଣୀ ଶୀତଳା ଠାକୁରାଣୀଙ୍କ ପୀଠକୁ ଯାଇଥାନ୍ତି । ଏବଂ ସେଠାରୁ ମଧ୍ୟରାତ୍ରିରେ ନିଜ ପୀଠକୁ ଅବତରଣ କରିବା ପରେ ପ୍ରାରମ୍ଭ ହୋଇଥାଏ ତନ୍ତ୍ରବିଧିତ ପୂଜାର୍ଚ୍ଚନା l

ମାଉଲି ମାଁଙ୍କ ପୀଠ ନବରାତ୍ରିଠାରୁ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠେ । ସାରା କୋଟପାଡ଼ ସହର ଦିବ୍ୟ ଆଲୋକରେ ଆଲୋକିତ ଓ ମୁଖରିତ ହୋଇ ଉଠିଥାଏ l ବିଭିନ୍ନ ସାଂସ୍କୃତିକ ନୃତ୍ୟ, ଭଜନ, ସଂଗୀତରେ ଉତ୍ସବମୁଖର ହୁଏ ମନ୍ଦିର ବେଢା । ବିଜୟା ଦଶମୀ ଦିନ ହଜାର ହଜାର ଭକ୍ତଙ୍କ ସହ ବାଜା ପଟୁଆର ନେଇ ମାଁ ଅବତରଣ କରନ୍ତି କୋଟପାଡ଼ ସ୍ଥିତ ଦଶହରା ପଡିଆରେ । ସେଠାରେ ମାଁଙ୍କ ହୋମ ଯଜ୍ଞ ଜାରି ରହିଥିବା ସମୟରେ, ରାବଣ ପୋଡି ଏବଂ ଅlତିଷବାଜୀ ମଧ୍ୟ ଦେଖିବାକୁ ମିଳିଥାଏ । ପୂଜା ସମ୍ପନ୍ନ ପରେ ମଧ୍ୟରାତ୍ରିରେ ମନ୍ଦିର ଫେରିଵା ପରେ କୋଟପାଡ଼ ସହରବାସୀଙ୍କ ସହ ମାଁ ନୂଆ ଖାଇଥାନ୍ତି । ଶୀତୁଆ ପରିବେଶ ମଧ୍ୟରେ କନକମଣି ମାଉଲିଙ୍କ ଦଶହରା ପାର୍ବଣ ଭକ୍ତଙ୍କ ମନରେ ଭରିଦିଏ ନୂଆ ଆଶା ଏବଂ ସତେଜତାର ଉର୍ଜା ।
ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ