୧୦୦ ଅଣ୍ଡା ଦିଆ କୁକୁଡା ଚାଷୀଙ୍କୁ ପୁରସ୍କୃତ କଲା ପ୍ରାଣୀ ଚିକିତ୍ସା ବିଭାଗ…

ଗଜପତି : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ରୂପେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଡ଼ ଗୁଣନିଧି ନାୟକ (ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି), ସୁରେଶ ପଟ୍ଟନାୟକ (ପ୍ରକଳ୍ପ ନିର୍ଦ୍ଦଶକ, ଜଳ ଛାୟା ଗଜପତି), ସୁଶାନ୍ତ ରଞ୍ଜନ ଦାସ (ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ), ସୁନାରମ ସିଂ (ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅଧିକାରୀ, ଗଜପତି) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଧର୍ମେନ୍ଦ୍ର ମହାନ୍ତି ପ୍ରଥମେ ବିଶ୍ଵ ଅଣ୍ଡା ଦିବସର ମହତ୍ଵ ଓ ଅଣ୍ଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ପରେ ମୁଖ୍ୟ ଅତିଥି ଅଣ୍ଡାର ଆବଶ୍ୟକତା ଓ ଅଣ୍ଡା ଉତ୍ପାଦନରେ ପ୍ରାଣୀ ଚିକତ୍ସା ବିଭାଗର ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଏଥିରେ ସମ୍ମାନିତ ଅତିଥି ଅଣ୍ଡା ଉତ୍ପାଦନ ଓ ଚାଷୀମାନଙ୍କ ଆୟ ବୃଦ୍ଧିରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହା ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ତଥା ଅନ୍ୟ ପ୍ରଗତିଶୀଳ ଚାଷୀ ମାନଙ୍କୁ କୁକୁଡା ଓ ବତକ ଅଣ୍ଡା ଉତ୍ପାଦନରେ ଅନନ୍ୟ ଭୂମିକା ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରୂପେ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କାରାଯାଇଥିଲା ।
କାର୍ଯ୍ୟକ୍ରମରେ ବି.ଜଗଦୀଶ ରାଓ, କଶୀନଗର ବ୍ଲକର, ବେଷ୍ଟ୍ କୁକୁଡ଼ା ଚାଷୀ ଭାବରେ ପୁରସ୍କୃତ ହୋଇଥିବାବେଳେ ଭବାନୀ ପ୍ରଧାନ, ମୋହନା ବ୍ଲକର ୧୦୦ ଅଣ୍ଡା ଦିଆ କୁକୁଡା ଚାଷ କରିଥିବାରୁ ପୁରସ୍କୃତ ହୋଇଥିଲେ । ସେହିପରି ରାୟଗଡ଼ ବ୍ଲକର କାଞ୍ଚୀମୁଣ୍ଡା ଗ୍ରାମର ଜିହୋବାଜିରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୁମ୍ମା ବ୍ଲକର ଇନ୍ଦିରା ଏମ୍.କେ ଯୋଜନା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା