ଦଳିତଙ୍କ ଭୂମିକୁ ଦେଖି ସହିପାରୁନାହିଁ ଠିକାଦାର !

କୋରାପୁଟ : ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ ନିଲାବାଡ଼ି ସଦର ମହକୁମାରେ ଥିବା ୧୨ ନମ୍ବର ୱାର୍ଡ଼କୁ ଲାଗି ରହିଥିବା ଏକ ଗଛରା ଜମିରେ ଭୂମିହୀନ ଦଳିତ ବର୍ଗର ଲୋକମାନେ ଖଣ୍ଡିଏ ଖଣ୍ଡିଏ କୁଡ଼ିଆ କରି ନିଜ ପିଲାଛୁଆଙ୍କ ସହ ଚଳି ଆସୁଥିଲେ । ତେବେ ଦଳିତମାନେ ସରକାରୀ ଜମିରେ କୁଡ଼ିଆ କରି ରହୁଥିବା ଦେଖି ସେଠାକାର ଠିକାଦାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଉକ୍ତ ଠିକାଦାର ଗରିବଙ୍କ କୁଡ଼ିଆ ଘର ଉପରେ ଜେସିବି ଲଗାଇ ତାକୁ ଭାଙ୍ଗି ଦେବା ସହ ସେଠାରେ ସରକାରୀ ଘର ନିର୍ମାଣ ପାଇଁ ଉଦ୍ୟମ କରିଥିଲେ । ଏହାକୁ ଦଳିତ ସମ୍ପ୍ରଦାୟ ଲୋକେ ଏକତ୍ରିତ ହୋଇ ବିରୋଧ କରିଥିଲେ । ଖବରପାଇ ଘଟଣାସ୍ଥଳରେ ବନ୍ଧୁଗାଁ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ୍ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ନିଲାବାଡ଼ି ଗ୍ରାମପଞ୍ଚାୟତର ସରପଞ୍ଚ ୱଟାକା ଜାଗାନ୍ନା ଏବଂ ଗ୍ରାମର ଭଦ୍ରବ୍ୟକ୍ତି ବସି ଉକ୍ତ ସ୍ଥାନରେ ଦୁଇ ସେଣ୍ଟ୍ ଜମିରେ ସରକାରୀ ଘର ନିର୍ମାଣ କରି ମିନି ବ୍ୟାଙ୍କ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଉକ୍ତ ଠିକାଦାର ଭଦ୍ରବ୍ୟକ୍ତିଙ୍କ କଥାକୁ ମଧ୍ୟ ଖାତିରି ନକରି ପୁଣି ଜେସିବି ଲଗାଇ ସବୁ ଜମିକୁ ସମତଳ କରୁଥିବାରୁ ଏହାକୁ ଅଟକାଇବା ସହ ବନ୍ଧୁଗାଁ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇ ଉକ୍ତ ମିନି ବ୍ୟାଙ୍କ ଗୃହ ଦୁଇ ମାସ ଭିତରେ ସରକାରଙ୍କ ନିୟମ ମୁତାବକ ନିର୍ମାଣ କରିଦେବୁ ବୋଲି ଏକ ଲିଖିତ ଦାବି କରିଛନ୍ତି । ଯାହାକୁ ନେଇ ଏବେ ରକ୍ତ ଚାଉଳ ଚୋବାଉଛନ୍ତି ଠିକାଦାର । ତେବେ ଆଗକୁ ଠିକାଦାର ଏବଂ ଦଳିତ ଭୂମିହୀନଙ୍କ ମଧ୍ୟରେ ଲଢେଇ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ସଞ୍ଜୟ କୁମାର ପାଣି