ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତି ଉପରେ ବିଚାର ବିମର୍ଶ…

ଭୁବନେଶ୍ୱର : ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତିକୁ ବିଚାର କରି, ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଓ କୋଆଲିସନ୍ ଫର ଟବାକୋ ଫ୍ରି ଓଡିଶାର ମିଳିତ ସହଯୋଗରେ ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ୱାସ୍ଥ୍ୟରେ ଉନ୍ନତି’ ଉପରେ ଯୁବ ଛାୟା ସଂସଦ ଆୟୋଜନ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁପ୍ରିମକୋର୍ଟ ଆଡଭୋକେଟ୍ ରଞ୍ଜିତ ସିଂ, ଏନ୍ସିବି ସେଏରେ ପରାମର୍ଶଦାତା ଡ. ଜି ଏସ୍ ମିଶ୍ର ଏବଂ ସିଟିଏଫକେ ଅନୁ୍ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଚେୟାରମ୍ୟାନ୍ ଡ଼ ମିନାକ୍ଷୀ ପଣ୍ଡା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶୀକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଯୁବକମାନେ ଆମ ଦେଶର ଭବିଷ୍ୟତକୁ ପ୍ରତିନିଧିତ୍ୱ କରନ୍ତି ଏବଂ ସେମାନଙ୍କର ସୁସ୍ଥ ଏବଂ ତମାଖୁମୁକ୍ତ ଭବିଷ୍ୟତ ନିଶ୍ଚିତ କରିବା ଆମର ସାମୂହିକ ଦାୟିତ୍ୱ ଅଟେ ବୋଲି କହିଥିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆମ ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ମୁକାବିଲା କରିବା ଏବଂ ସେମାନଙ୍କ ପାଇଁ ଉଜ୍ଜ୍ୱଳ ଓ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବାକୁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ରାଜ୍ୟସଭା ସାଂସଦ ସୁଲତା ଦେଓ ।
ଯୁବ ଛାୟା ସଂସଦ ଓଟିଟି ପ୍ଲାଟଫର୍ମରେ ଧୂମ୍ରପାନ ବିରୋଧୀ ଚେତାବନୀ ପ୍ରଦର୍ଶନ ପାଇଁ ନୂତନ ନିୟମ ପ୍ରଣୟନ କରିଥିବାରୁ ସରକାରଙ୍କୁ ପ୍ରଶଂସା କରିବା ସହିତ, ସର୍ବସାଧାରଣ ସ୍ଥାନଗୁଡିକୁ ତମାଖୁ ମୁକ୍ତ କରିବା ପାଇଁ ବର୍ତ୍ତମାନର କୋଟପା, ୨୦୦୩ ଆଇନକୁ ଅଧିକ ଦୃଢିଭୂତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଣିଥିଲେ ।
ଯୁବ ଛାୟା ସଂସଦ ଅଧିବେଶନରେ ତମାଖୁ ସହିତ ଜଡିତ ବିଭିନ୍ନ ବିଷୟ ଯଥା ସେକେଣ୍ଡ ହ୍ୟାଣ୍ଡ୍ ଧୂମ୍ରପାନ ଏବଂ ତମାଖୁ ଦ୍ରବ୍ୟ ବିକ୍ରି ପାଇଁ ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଭୁବନେଶ୍ୱରରୁ ଅଭିଜିତ୍ ସିଂ