୨୩ ବର୍ଷର ସ୍ଥାୟୀ ସରକାରଙ୍କୁ ପ୍ରଶ୍ନ କରୁଛି ମାଟିଘର !

ଢେଙ୍କାନାଳ : ୨୩ ବର୍ଷର ସ୍ଥାୟୀ ସରକାର । ଗରିବ ହିତାଧିକାରୀଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ଯୋଜନା । ହେଲେ ଏଠି କାନ୍ଥ ବି ନିଜ ଦୁଃଖ ବଖାଣୁଛି । ୨୩ ବର୍ଷର ସ୍ଥାୟୀ ସରକାର ତା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରୁଛି । ଇଂରେଜ ଶାସନ ସମୟରେ ତାର ଯେଉଁ ସ୍ଥିତି ଥିଲା ସ୍ବାଧୀନତାର ଏତେ ବର୍ଷ ପରେ ବି ତାର ସ୍ଥିତି ବଦଳିନି । ସତେ ଯେମିତି ଲାଗୁଛି ଦୀର୍ଘ ୨୩ ବର୍ଷର ସରକାରୀ କଳ ତା ଉପରେ ଇଂରେଜ ସରକାର ଭଳି ଜୁଲୁମ କରୁଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତରେ ବସବାସ କରୁଥିବା ଗ୍ରାମବାସୀଙ୍କ ଦୁଃଖ କହିଲେ ନ ସରେ । ଏମାନେ ଅନେକ ନିର୍ବାଚନ ଦେଖିଲେଣି । ନିର୍ବାଚନ ସମୟର ଇସ୍ତହାରରେ ଏମାନଙ୍କ ଦୁଃଖନାଶ କରିବାର ପ୍ରତିଶ୍ରୁତି ମଧ୍ୟ ଶୁଣିଛନ୍ତି । ହେଲେ ଏମାନଙ୍କ ସ୍ଥିତି ଯଥା ପୂର୍ବଂ ତଥା ପରଂ ।

ଗରିବ ହିତାଧିକାରୀଙ୍କୁ ଗୃହ ଯୋଗେଇ ଦେବା ପାଇଁ ସରକାର ଆବାସ ଭଳି ସଫଳ ଯୋଜନା ପ୍ରଣୟନ କରିଦେଲେ । ହେଲେ ଏହାର ବାସ୍ତବ ରୂପରେଖ ଦେଖିଲେ ଲାଗୁଛି ଏହି ଯୋଜନା କେବଳ କାଗଜ କଲମ ପାଇଁ ନ୍ୟସ୍ତ । କାରଣ ଯୋଗ୍ୟ ହିତାଧିକାରୀଟିଏ ଆବାସ ପାଇଁ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଉଥିଲେ ବି ସେମାନଙ୍କୁ ଅନେକାଂଶରେ ସଫଳତକା ମିଳେ ନାହିଁ । ଏପରିକି ରାଜ୍ୟ ସରକାର ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଜନ ଅଭିଯୋଗ ଶୁଣାଣୀ ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ହେଲେ ଏଥିରେ ବି ଏମାନଙ୍କ ଗୁହାରୀ କେହି ଶୁଣିଲେ ନାହିଁ । ଫଳସ୍ବରୂପ ଆଜି ଏହି ଗରିବ ଶ୍ରେଣୀର ଲୋକେ ମାଟି ଘର ତଥା ଛପର ଘରେ ଭାଗ୍ୟକୁ ଆଦରି ରହି ଆସୁଛନ୍ତି । ଯାହାକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।

ଆବାସଯୋଜନାରେ ଅନିୟମିତତା ନେଇ ସରପଞ୍ଚଙ୍କ ବିରୋଧରେ ବହୁ ସଂଖ୍ୟାରେ ଅଭିଯୋଗ ଆଣିଛନ୍ତି କଂସରା ପଞ୍ଚାୟତବାସୀ । କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ କଂସରା ପଞ୍ଚାୟତରେ ଏହାର ବ୍ୟତିକ୍ରମ କାରଣରୁ ବହୁ ଯୋଗ୍ୟ ହିତାଧିାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତରୁ ପ୍ରାୟ ୭ ରୁ ୮ଟି ପରିବାର ନିକଟରୁ ଏଭଳି ଅଭିଯୋଗ ଶୁଣିବା ପରେ ଆମ ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଏ ବାବଦରେ କଂସରା ସରପଞ୍ଚଙ୍କ ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିଥିଲେ ।

ଅଭିଯୋଗ ପରେ ବି ଜନତାଙ୍କୁ ମିଳୁନି ସେମାନଙ୍କ ଅଧିକାର । ତେବେ ଦେଖିବାକୁ ବାକି ରହିଲା ଆଉ କେତେ ବର୍ଷର ଶାସନ ପରେ ଜନତାଙ୍କୁ ସେମାନଙ୍କ ଅଧିକାର ମିଳିବ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା ରିପୋର୍ଟ