ତେଇଶି ବର୍ଷର ଶାସନ ପରେ ବି ରାଜ୍ୟରେ ମାଳ ମାଳ ଅଭିଯୋଗ…

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଜିଲ୍ଲାପାଳ ଏଵଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଏଵଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଏଡ଼ିଏମ୍ ଜେନେରାଲ ରୀନା କୁମାରୀ ଖେସ ଏଵଂ ଏଡ଼ିଏମ୍ ପ୍ରିୟବ୍ରତ ସାହୁ ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ମୁଖ୍ୟତଃ ଭତ୍ତା, ରାସନ କାର୍ଡ ଏଵଂ ଆବାସ ଯୋଜନା ସମ୍ବନ୍ଧୀୟ ବହୁ ଅଭିଯୋଗ ଆସିଥିବା ଦେଖିବାକୁ ମିଳିଥିଲା । କିଛିଦିନ ତଳେ 5ଟି ସଚିବ ଏହି ବ୍ଲକର ବୁରୁଝରୀସ୍ଥିତ ଶନି ମନ୍ଦିର ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିର କରି ହଜାର ହଜାର ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ଆଜି ପୁନଃ ଜିଲ୍ଲାପାଳ ଓ ଏସ୍.ପି ବେଗୁନିଆପଡା ବ୍ଲକ ପରିସରରେ ଅଭିଯୋଗ ଶୁଣାଣୀ ଶିବିରରେ ହଜାର ହଜାର ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।
ଏଠି ପ୍ରଶ୍ନ ଯେ ଦୀର୍ଘ ତେଇଶି ବର୍ଷର ଶାସନ ପରେ ଗୋଟିଏ ମାସରେ ଦୁଇ ଦୁଇଟି ଶିବିର କରି ହଜାର ହଜାର ଅଭିଯୋଗ ଆସୁଥିବା ବେଳେ, ବିକାଶର ଦ୍ବାହି ଦେଉଥିବା ସରକାରଙ୍କ ବିକାଶ କେଉଁଠି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଅପରପକ୍ଷେ ଅଭିଯୋଗ ଦାଖଲ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ଅଧାରୁ ଉଠି ପଳେଇ ଯିବା ଘଟଣା ଅଭିଯୋଗକାରୀଙ୍କ ପ୍ରତି ଉପହାସ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ଶୁଣାଣୀ ଶିବିରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କୋଦଳା ତହସିଲଦାର ସସ୍ମିତା ଶତପଥି, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବେଗୁନିଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ ଦେଉରୀ, କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଶୁଣିଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ